ନ୍ୟୁଜ ଡେକ୍ସ : ଚଳିତ ଶିକ୍ଷାବର୍ଷରେ ଓଡ଼ିଶାର ସ୍ନାତକ ଓ ସ୍ନାତକୋତ୍ତର ନାମଲେଖା ପ୍ରକ୍ରିୟାକୁ ଆଗୁଆ କରାଯିବ। ଜୁଲାଇ ମାସର ଦ୍ୱିତୀୟ ସପ୍ତାହରୁ ନୂଆ ସେସନର ଶିକ୍ଷାଦାନ ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସ୍ନାତକୋତ୍ତର ନାମଲେଖା ପାଇଁ ହେଉଥିବା ଏକକ ପ୍ରବେଶିକା ପରୀକ୍ଷା ସିପିଇଟିକୁ ମଧ୍ୟ ଆଗୁଆ କରାଯିବ।ସେହିପରି ସ୍ନାତକ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସେମେଷ୍ଟର ପରୀକ୍ଷା ସଠିକ୍ ସମୟରେ ସମାପ୍ତ କରି ତ୍ୱରିତ ଫଳ ପ୍ରକାଶ କରିବା ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ସମସ୍ତ ସଂସ୍ଥାକୁ ଶେଷ ସେମେଷ୍ଟର ପରୀକ୍ଷା ସମାପ୍ତ କରିବାକୁ କୁହାଯାଇଛି। ପରୀକ୍ଷା ସରିବାର ଏକ ମାସ ମଧ୍ୟରେ ଫଳ ପ୍ରକାଶ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଏହା ଦ୍ୱାରା ଓଡ଼ିଶାର ଛାତ୍ରଛାତ୍ରୀମାନେ ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ସମୟରେ ଆବେଦନ କରିପାରିବେ। ସ୍ନାତକୋତ୍ତର ନାମଲେଖା ପାଇଁ ସିପିଇଟି ଆୟୋଜନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ଆବେଦନ ପୂର୍ବରୁ ସମସ୍ତ ବିଷୟର ସଠିକ୍ ତଥ୍ୟ ୱେବସାଇଟରେ ଅପଲୋଡ୍ କରିବା ଓ ପ୍ରଶ୍ନପତ୍ର ପ୍ରସ୍ତୁତି ପାଇଁ ବିଷୟ ତାଲିକା ପଠାଇବାକୁ ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଅବଗତ କରାଯାଇଛି।ସମସ୍ତ ପ୍ରକ୍ରିୟା ସରିବା ପରେ ପୂର୍ବବର୍ଷ ପରି ପରୀକ୍ଷାଫଳ ପ୍ରକାଶ ପୂର୍ବରୁ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ନାମଲେଖା ପାଇଁ ଆବେଦନ ଆରମ୍ଭ କରିବାକୁ ବିଭାଗ ଯୋଜନା କରିଛି।

