Sun. Apr 19th, 2026

ନ୍ୟୁଜ ଡେକ୍ସ : ପୁରୀର ପ୍ରସିଦ୍ଧ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ ନୀତି ଭକ୍ତିଭାବରେ ପାଳିତ ହୋଇଛି। ବର୍ଷରେ କେବଳ ଏକମାତ୍ର ଏହି ଦିନ ଭକ୍ତମାନେ ମନ୍ଦିରର ଗମ୍ଭିରା ଭିତରକୁ ପ୍ରବେଶ କରି ପ୍ରଭୁଙ୍କ ସମ୍ପୂର୍ଣ୍ଣ ଲିଙ୍ଗ ଦର୍ଶନ କରିଥାନ୍ତି। ଏହି ଅବସରକୁ ନେଇ ସକାଳୁ ସକାଳୁ ମନ୍ଦିର ପରିସର ଭକ୍ତମାନଙ୍କ ଭିଡ଼ରେ ମୁଖରିତ ହୋଇଯାଇଥିଲା।

ଭାରତର ଅନ୍ୟ କୌଣସି ଶୈବପୀଠ କିମ୍ବା ଶିବ ମନ୍ଦିରରେ ପଙ୍କୋଦ୍ଧାରର ଏଭଳି ସ୍ୱତନ୍ତ୍ର ନୀତି ଦେଖିବାକୁ ମିଳେନାହିଁ। କେବଳ ପୁରୀର ଲୋକନାଥ ମନ୍ଦିରରେ ମହାଶିବରାତ୍ରୀର ଗୋଟିଏ ଦିନ ପୂର୍ବରୁ ଏହି ବିଶେଷ ରୀତି ଅନୁଷ୍ଠିତ ହୋଇଥାଏ। ଏହି ଦିନ ପ୍ରଭୁଙ୍କ ଗମ୍ଭିରାରେ ବର୍ଷ ତମାମ ସଂଚିତ ହୋଇଥିବା ବେଲପତ୍ର, ପୁଷ୍ପ, ନୈବେଦ୍ୟ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀକୁ ପଙ୍କ ଭାବେ ପରମ୍ପରା ଅନୁଯାୟୀ କଢାଯାଇଥାଏ।ଏହି ପବିତ୍ର ଦିନରେ ପ୍ରଭୁ ଲୋକନାଥଙ୍କ ସମ୍ପୂର୍ଣ୍ଣ ଲିଙ୍ଗ ଦର୍ଶନ କରିବାକୁ ମିଳିଥିବାରୁ ଭକ୍ତମାନେ ଗଭୀର ଆନନ୍ଦ ଓ ଆସ୍ଥାରେ ମନ୍ଦିରକୁ ଆସିଥିଲେ। ପରମ୍ପରା ଅନୁସାରେ ଲୋକନାଥ ଦେବଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଭାବେ ଗଣାଯାଏ ଓ ଏହି ଦିନ ତାଙ୍କର ସ୍ୱତନ୍ତ୍ର ନୀତିନୀତି ପାଳିତ ହୁଏ।

ଲକ୍ଷେ ଶିବଲିଙ୍ଗ ପୂଜା କଲେ ଯେପରି ପୁଣ୍ୟ ମିଳେ, ଆଜି ଏକ ଦିନ ପ୍ରଭୁଙ୍କୁ ପୂଜା କଲେ ସେହି ସମାନ ପୁଣ୍ୟ ଫଳ ମିଳେ ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି। ଏହି ବିଶେଷ ନୀତିକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ପୂର୍ବରୁ ଚୁଡାନ୍ତ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିଲା। ପୋଲିସ ପ୍ରଶାସନ ତରଫରୁ ଭକ୍ତମାନଙ୍କ ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସେହିପରି ଜାଜର ଯାତ୍ରା ଓ ଭିଡ଼ ନିୟନ୍ତ୍ରଣ ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ନିଆଯାଇଥିଲା।

Leave a Reply

Your email address will not be published. Required fields are marked *