ନ୍ୟୁଜ ଡେକ୍ସ :ପବିତ୍ର ମହାଶିବରାତ୍ରି ଉପଲକ୍ଷେ ରାଜଧାନୀ ଭୁବନେଶ୍ୱର ସମ୍ପୂର୍ଣ୍ଣ ଭାବେ ଶିବମୟ ହୋଇଉଠିଛି। “ଓଁ ନମଃ ଶିବାୟ”, “ହର ହର ମହାଦେବ”, “ଜୟ ଶିବଶମ୍ଭୁ” ଭଳି ପଞ୍ଚାକ୍ଷରୀ ମନ୍ତ୍ର ଓ ଭକ୍ତିମୟ ଉଚ୍ଚାରଣରେ ସହରର ସମସ୍ତ ଶୈବପୀଠ ଗୁଞ୍ଜିଉଠିବ। ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିର ଶବ୍ଦରେ ମନ୍ଦିର ପରିବେଶ ଆଧ୍ୟାତ୍ମିକ ଭାବେ ପ୍ରକମ୍ପିତ ହେବ।
ମହାଶିବରାତ୍ରିର ଆଧ୍ୟାତ୍ମିକ ମାନ୍ୟତା ଅନୁଯାୟୀ “ଦୀପଂ ଜ୍ୟୋତି ପରଂବ୍ରହ୍ମ, ଦୀପଂ ଜ୍ୟୋତି ଜନାର୍ଦ୍ଦନ, ଦୀପଂ ଜ୍ୟୋତି ହରେ ପାପ, ଦୀପଂ ଜ୍ୟୋତି ନମସ୍ତୁତେ” ମନ୍ତ୍ର ଭକ୍ତଙ୍କୁ ଅନ୍ତର୍ମୁଖୀ କରି ଅନ୍ୟାୟ, ଅନୀତି, ଦୁର୍ନୀତି ଓ ଲୋଭକୁ ତ୍ୟାଗ କରି ଶାନ୍ତି, ସଦ୍ଭାବନା, ମୈତ୍ରୀ ଓ ସେବାର ପଥରେ ଆଗୁଆଁ ହେବାକୁ ପ୍ରେରଣା ଦେଉଛି। ଏହି ପବିତ୍ର ଦିନରେ ପ୍ରତ୍ୟେକ ଭକ୍ତ ମହାଦେବଙ୍କ ଉଦ୍ଦେଶ୍ୟରେ ଦୀପ ଜାଳି ନିଜ ମନସ୍କାମନା ଅର୍ପଣ କରିବେ।
ମହାଦୀପ ଦର୍ଶନ ପାଇଁ ହଜାର ହଜାର ବ୍ରତଧାନୀ ଭକ୍ତ ରାତି ସାରା ଜାଗର ରହି ଶିବ ଆରାଧନା କରିବେ। ବର୍ଷକର ପ୍ରତୀକ୍ଷାର ଅନ୍ତ ଘଟିବା ସହ ମହାଦୀପ ଉତ୍ତୋଳନ ପରେ ଭକ୍ତମାନେ ଜାଗର ବ୍ରତ ଭାଙ୍ଗିବେ। ଏହି ଅବସରରେ ରାଜଧାନୀର ଶୈବପୀଠଗୁଡ଼ିକୁ ନେଇ ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକତାର ଅଦ୍ଭୁତ ଦୃଶ୍ୟ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

