ନ୍ୟୁଜ ଡେକ୍ସ : ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବନାଞ୍ଚଳ ଅଧୀନ ନୂଆଗାଁ ବନକ୍ଷେତ୍ରର ଜଟାଧାର ତଣ୍ଡା ନିକଟ ସମୁଦ୍ର ବେଳାଭୂମିରେ ପ୍ରତିଦିନ ଶତାଧିକ ଅଲିଭ୍ ରିଡ୍ଲେ କଇଁଛଙ୍କର ମୃତଦେହ କୂଳରେ ଲାଗୁଥିବା ଘଟଣା ପରିବେଶବିତମାନଙ୍କ ମଧ୍ୟରେ ଭାରି ଚିନ୍ତା ସୃଷ୍ଟି କରିଛି। ଏହି ହୃଦୟବିଦାରକ ଦୃଶ୍ୟ ସମୁଦ୍ରତଟର ପରିବେଶ ସୁରକ୍ଷା ଓ କଇଁଛ ସଂରକ୍ଷଣ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି।
ସ୍ଥାନୀୟ ଧୀବରମାନଙ୍କ କହିବା ଅନୁସାରେ, ଗତ କିଛି ଦିନ ହେଲା ଅସାଧାରଣ ଭାବରେ ବହୁ ସଂଖ୍ୟାରେ ଅଲିଭ୍ ରିଡ୍ଲେ କଇଁଛ ମୃତ୍ୟୁବରଣ କରି କୂଳରେ ଲାଗୁଛନ୍ତି। ଅନେକ ଶବ ଜଟାଧାର ମୁହାଣ ମାର୍ଗରେ ବିଭିନ୍ନ ନଦୀ ପଥ ହୋଇ ଭାସିଆସୁଥିବାବେଳେ, କିଛିକୁ ବନ ବିଭାଗ ପକ୍ଷରୁ ବେଳାଭୂମିରେ ପୋତି ଦିଆଯାଉଛି। କେତେକ ମୃତ କଇଁଛଙ୍କ ଶରୀର ବୁଲା କୁକୁରଙ୍କ ଖାଦ୍ୟ ହୋଇଯାଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ପରିବେଶବିତମାନେ ଅଭିଯୋଗ କରୁଛନ୍ତି ଯେ ଟ୍ରଲର ମାଛ ଧରା ନିଷିଦ୍ଧ ଥିବା ସତ୍ତ୍ୱେ ଲୁଚିଛପି ଧୀବରମାନେ ସମୁଦ୍ରକୁ ଯାଇ ମାଛ ଧରୁଛନ୍ତି। ପେଟ୍ରୋଲିଂର ଅଭାବରୁ ଏହି ଅବାଧ କାର୍ଯ୍ୟ ଚାଲିଥିବାରୁ ଅନେକ କଇଁଛ ଟ୍ରଲର ଜାଲରେ ଧରା ପଡ଼ି ମୃତ୍ୟୁବରଣ କରୁଛନ୍ତି। ଫେବ୍ରୁଆରୀ ଓ ମାର୍ଚ୍ଚ ମାସରେ ଅଲିଭ୍ ରିଡ୍ଲେ କଇଁଛମାନେ ସୁରକ୍ଷିତ ବେଳାଭୂମିକୁ ଆସି ଗଣ ଅଣ୍ଡା ଦେଇଥାନ୍ତି ଓ ଛୁଆ ଫୁଟିଲା ପରେ ପୁଣି ସମୁଦ୍ରକୁ ଫେରିଯାନ୍ତି।
ଏହି ସମୟରେ ସରକାରୀ ଭାବେ ମାଛ ଧରା ଉପରେ କଡାକଡି ନିଷେଧ ରହିଛି।ବାଲିତୁଠ ବନପାଳ ପଦ୍ମନାଭ ରାଉତ କହିଛନ୍ତି ଯେ, ଟ୍ରଲର ମାଛ ଧରା ସମୟରେ କଇଁଛମାନେ ଜାଲରେ ଧରା ପଡ଼ି ମରୁଛନ୍ତି, ଯାହା ଏହି ଦୁଃଖଦ ଘଟଣାର ପ୍ରମୁଖ କାରଣ। ପରିବେଶବିତମାନେ ଜଟାଧାର ମୁହାଣ ଚାରିପାଖରେ କମ୍ ସେ କମ୍ ୫ କିଲୋମିଟର ପରିସୀମାରେ କଡାକଡି ପେଟ୍ରୋଲିଂ କରିବା ଓ ଅବୈଧ ଟ୍ରଲର ମାଛ ଧରାକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି, ଯାହା ମାଧ୍ୟମରେ ଅଲିଭ୍ ରିଡ୍ଲେ କଇଁଛଙ୍କୁ ସୁରକ୍ଷା ଦିଆଯାଇପାରିବ।

