ନ୍ୟୁଜ ଡେକ୍ସ : କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜମ୍ବୁ ସାମୁଦ୍ରିକ ପୋଲିସ ଷ୍ଟେସନ ପକ୍ଷରୁ ପେଟଛେଲା ପଞ୍ଚାୟତର ଲୁଣୀମାଠିଆ ଗ୍ରାମରେ ଶନିବାର ଏକ ଆକର୍ଷଣୀୟ କମ୍ୟୁନିଟି ପୋଲିସିଂ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସହଯୋଗ, ବିଶ୍ୱାସ ଓ ସମ୍ପର୍କକୁ ଆଉ ଅଧିକ ମଜବୁତ କରିବା।
କାର୍ଯ୍ୟକ୍ରମର ଆରମ୍ଭରେ ୪ଟି କ୍ରିକେଟ ଦଳ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା। ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଜମ୍ବୁ ଭାତୃ ସଙ୍ଘ କ୍ରିକେଟ ଟିମ ବଉଳକଣୀର ବଜରଙ୍ଗୀ କ୍ରିକେଟ ଟିମକୁ ପରାଜିତ କରି ଚ୍ୟାମ୍ପିଅନ ହୋଇଥିଲା। ଖେଳ ମାଧ୍ୟମରେ ଯୁବପିଢ଼ୀଙ୍କୁ ସକାରାତ୍ମକ କାର୍ଯ୍ୟକଳାପରେ ଆକୃଷ୍ଟ କରିବା ଏହି ପ୍ରୟାସକୁ ସମସ୍ତେ ସ୍ବାଗତ କରିଥିଲେ।ପରେ ପରେ ସ୍ଥାନୀୟ କଳାକାରମାନଙ୍କ ନୃତ୍ୟ ଓ ଗୀତର ତାଳେ ତାଳେ ସାରା ମଞ୍ଚ ମନୋରଞ୍ଜନ ଓ ଉତ୍ସାହରେ ପ୍ରକମ୍ପିତ ହୋଇଉଠିଥିଲା। ଏହା ସହିତ ଏକ ସାମୁଦାୟିକ ମେଳମିଶାର ପରିବେଶ ସୃଷ୍ଟି ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ସେ କହିଥିଲେ ଯେ, “କମ୍ୟୁନିଟି ପୋଲିସିଂ ମାଧ୍ୟମରେ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ନୁହେଁ, ବିଶ୍ୱାସର ସମ୍ପର୍କ ଗଢ଼ିଉଠିବା ଆମ ଲକ୍ଷ୍ୟ।”ତାଙ୍କ ସହିତ ଗୁଇନ୍ଦା ଡିଏସପି ଲକ୍ଷ୍ମୀନାରାୟଣ ତିୱାରୀ, ରିଜର୍ଭ ଇନ୍ସପେକ୍ଟର ପ୍ରସନଜିତ ରଣସିଂ, ସରପଞ୍ଚ ରାମନଗର ମିଲନ ଦେବନାଥ, ପେଟଛେଲାର ପ୍ରସନ୍ନ ବେହେରା, ବଉଳକଣୀର ସାଲବେଗ ମହାଳୀ ଓ ଜମ୍ବୁର ବିଶ୍ୱଜିତ ବସୁ ମଞ୍ଚାସୀନ ଥିଲେ।
ସହଯୋଗୀ ଭାବେ ଜମ୍ବୁ ସାମୁଦ୍ରିକ ଥାନାର ଅଧିକାରିଣୀ ଅନିତା ସ୍ୱାଇଁ ଓ ମହାକାଳପଡ଼ା ଥାନା ଅଧିକାରୀ ମାନସ ମଲ୍ଲିକ ମଧ୍ୟ ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ।ସମଗ୍ର ଆୟୋଜନ ମାଧ୍ୟମରେ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସାମୀପ୍ୟ, ଆତ୍ମବିଶ୍ୱାସ ଓ ସହଯୋଗର ଏକ ନୂଆ ଅଧ୍ୟାୟ ଗଢ଼ିଉଠିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।

