ନ୍ୟୁଜ ଡେକ୍ସ : ମହାଶିବରାତ୍ରୀ ପବିତ୍ର ଅବସରରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ପରିସରରେ ସେବାୟତ ଓ ପୋଲିସ ମଧ୍ୟରେ କିଛି ସମୟ ପାଇଁ ମୁହାଁମୁହିଁ ଓ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ସେବାୟତମାନଙ୍କ ପରିବାର ଦର୍ଶନ ନେଇ ହୋଇଥିବା ଏହି ବିବାଦରେ କିଛି ସମୟ ପାଇଁ ନୀତିକାନ୍ତି ବ୍ୟାହତ ହୋଇଥିବା ସୂଚନା ମିଳିଛି।
ତେବେ ଏହାକୁ ନେଇ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ସ୍ପଷ୍ଟ କରି କହିଛନ୍ତି ଯେ, “ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଚାଲିଛି। ସେବାୟତମାନେ ନୀତି ଠିକ ସମୟରେ ସରିବାକୁ ପ୍ରତିଶୃତି ଦେଇଛନ୍ତି।”ମନ୍ଦିର ପରିସରରେ ସୁରକ୍ଷା ଓ ନୀତି ପରିଚାଳନାକୁ ନଜରରେ ରଖି ଜିଲ୍ଲାପାଳ, ଡିସିପି ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ। ରାତିରେ ଦୀପ ବସାଇବା ସମୟରେ କୌଣସି ବିଶୃଙ୍ଖଳା ନ ହେବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସ୍ଥାନ ଧାର୍ଯ୍ୟ କରାଯାଇଛି।ମହାଶିବରାତ୍ରୀର ମୁଖ୍ୟ ଆକର୍ଷଣ ମହାଦୀପ ଠିକ ସମୟରେ ଉଠିବା ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ଚାଲିଛି। ଆଶ୍ଚର୍ଯ୍ୟଜନକ ଭାବରେ ଏବେ ନୀତିକାନ୍ତି ନିର୍ଦ୍ଧାରିତ ସମୟରୁ ପ୍ରାୟ ଏକ ଘଣ୍ଟା ପୂର୍ବରୁ ହିଁ ଚାଲିଥିବା ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି।
ପାସ୍ ବିଭ୍ରାଟ ସମ୍ପର୍କରେ ସେ କହିଛନ୍ତି, “ଏଥର କୌଣସି ପ୍ରକାରର ପାସ୍ ଗୋଲମାଳ ହୋଇନି। ଗତ ବର୍ଷ କିଛି ଦୁର୍ବୃତ୍ତ ପାସ୍କୁ ଜେରକ୍ସ କରି ଦୁରୁପଯୋଗ କରିଥିଲେ। ସେଥିପାଇଁ ଏବେ ପ୍ରତ୍ୟେକ ପାସ୍ରେ QR କୋଡ଼ ଲଗାଯାଇଛି, ଯାହା ସ୍କାନ୍ କରି ତୁରନ୍ତ ଯାଞ୍ଚ କରାଯାଇପାରୁଛି।”ସାରକଥା, ମଧ୍ୟେମଧ୍ୟେ ହୋଇଥିବା ଅସନ୍ତୋଷ ଓ ମୁହାଁମୁହିଁ ସତ୍ତ୍ୱେ ମଧ୍ୟ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀର ପବିତ୍ର ନୀତିକାନ୍ତି ଶାନ୍ତିପୂର୍ଣ୍ଣ ଓ ସୁଚାରୁ ଭାବରେ ଆଗେଇ ଚାଲିଛି, ଏବଂ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନର ଲାଭ ନେଇପାରୁଛନ୍ତି।

