ନ୍ୟୁଜ ଡେକ୍ସ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ଇସ୍ରାଏଲ ଗସ୍ତ ପୂର୍ବରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଭାରତକୁ ଭୂରିଭୂରି ପ୍ରଶଂସା କରିଛନ୍ତି। ଜେରୁସଲେମରେ ଆୟୋଜିତ ପ୍ରମୁଖ ଆମେରିକୀୟ ଯିହୂଦୀ ସଂଗଠନଗୁଡ଼ିକର ଏକ ସମ୍ମିଳନୀରେ ଭାଷଣ ଦେଇ ସେ କହିଛନ୍ତି ଯେ ଭାରତ ଓ ଇସ୍ରାଏଲ ମଧ୍ୟରେ ଏକ ଦୃଢ଼ ଏବଂ ଗଭୀର ମେଣ୍ଟ ରହିଛି।
ନେତାନ୍ୟାହୁ କହିଛନ୍ତି ଯେ ଆସନ୍ତା ସପ୍ତାହରେ ନରେନ୍ଦ୍ର ମୋଦି ଇସ୍ରାଏଲକୁ ଆସୁଛନ୍ତି ଏବଂ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ସମସ୍ତ ପ୍ରକାରର ସହଯୋଗ ଉପରେ ଉଚ୍ଚସ୍ତରୀୟ ଆଲୋଚନା ହେବ। ସେ ଭାରତର ୧.୫ ବିଲିୟନ ଜନସଂଖ୍ୟାକୁ ଉଲ୍ଲେଖ କରି କହିଛନ୍ତି ଯେ ଇସ୍ରାଏଲ ଭାରତରେ ବହୁତ ଲୋକପ୍ରିୟ ଏବଂ ଏହା ଦୁଇ ଦେଶ ମଧ୍ୟରେ ମଜବୁତ ସମ୍ପର୍କର ପ୍ରମାଣ।ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଏହି ମାସର ଶେଷ ସପ୍ତାହରେ ଇସ୍ରାଏଲ ଗସ୍ତ କରିପାରନ୍ତି।
ତାଙ୍କର ଏହି ଗସ୍ତ ରଣନୈତିକ, ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଓ ଇସ୍ରାଏଲ ସମ୍ପର୍କକୁ ନୂଆ ଦିଗ ଦେଇପାରେ। ଖବର ଅନୁଯାୟୀ ଫେବୃଆରୀ ୨୭ ଓ ୨୮ ତାରିଖରେ ଏହି ଗସ୍ତ ହେବା ସମ୍ଭାବନା ରହିଛି, ଯଦିଓ ସରକାରୀ ଭାବେ ତାରିଖ ଏପର୍ଯ୍ୟନ୍ତ ଘୋଷିତ ହୋଇନାହିଁ।

