Sun. Apr 19th, 2026

ନ୍ୟୁଜ ଡେକ୍ସ : ଆଜି ଅମାବାସ୍ୟା ଦିନ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ସଂଗଠିତ ହେଉଛି। ଏହି ସୂର୍ଯ୍ୟୋପରାଗ ଆଫ୍ରିକାର ଦକ୍ଷିଣ ଅଞ୍ଚଳ, ଦକ୍ଷିଣ ଆମେରିକାର ଦକ୍ଷିଣ ଅଞ୍ଚଳ, ପ୍ରଶାନ୍ତ, ଆଟଲାଣ୍ଟିକ ଓ ଭାରତ ମହାସାଗରର କିଛି ଅଞ୍ଚଳରେ ଆଂଶିକ ସୂର୍ଯ୍ୟୋପରାଗ ଭାବେ ଦେଖାଯିବ। ସେହିପରି ଆଣ୍ଟାର୍କଟିକାର କିଛି ଅଞ୍ଚଳରେ ଏହା ବଳୟ ସୂର୍ଯ୍ୟୋପରାଗ ଭାବରେ ଦୃଶ୍ୟମାନ ହେବ।

ତେବେ ଏହି ସୂର୍ଯ୍ୟୋପରାଗ ଭାରତ ଓ ଓଡ଼ିଶାରେ ଦେଖିବାକୁ ମିଳିବ ନାହିଁ।ଭାରତୀୟ ସମୟ ଅନୁସାରେ ସୂର୍ଯ୍ୟୋପରାଗ ଦିନ ୩ଟା ୨୬ ମିନିଟ୍‌ରୁ ଆରମ୍ଭ ହେବ। ସନ୍ଧ୍ୟା ୫ଟା ୪୨ ମିନିଟ୍‌ରେ ଏହା ସର୍ବାଧିକ ହେବ ଏବଂ ସନ୍ଧ୍ୟା ୭ଟା ୫୭ ମିନିଟ୍‌ରେ ପରାଗର ସମାପ୍ତି ହେବ।ଏହାସହ ଆସନ୍ତା ମାର୍ଚ୍ଚ ୨ ତାରିଖ, ଅର୍ଥାତ୍ ଫାଲଗୁନ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଘଟିବ।

ଏହି ଚନ୍ଦ୍ରଗ୍ରହଣ ସମଗ୍ର ଭାରତରେ ଆଂଶିକ ଭାବରେ ଅଳ୍ପ ସମୟ ପାଇଁ ଦେଖାଯିବ ବୋଲି ଜନବିଜ୍ଞାନୀ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଫାଲଗୁନ ଅମାବାସ୍ୟାରେ ସୂର୍ଯ୍ୟୋପରାଗ ଏବଂ ଫାଲଗୁନ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ସଂଯୋଗ ହେଉଛି, ଯାହାକୁ ଜ୍ୟୋତିର୍ବିଜ୍ଞାନରେ ଏକ ଦୁର୍ଲଭ ଘଟଣା ଭାବରେ ଦେଖାଯାଏ।

Leave a Reply

Your email address will not be published. Required fields are marked *