Sun. Apr 19th, 2026

ନ୍ୟୁଜ ଡେକ୍ସ : ରାଜ୍ୟର ବିଭିନ୍ନ ସ୍ଥାନ ସହ ଟ୍ୱିନସିଟି ଭୁବନେଶ୍ୱର ଓ କଟକରେ ଆଜି ସକାଳୁ ସକାଳୁ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ପ୍ରବଳ କୁହୁଡ଼ି ଯୋଗୁଁ ସକାଳ ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। କେତେକ ସ୍ଥାନରେ ଦୃଶ୍ୟମାନ ଦୂରତା ୫୦ ମିଟର ପର୍ଯ୍ୟନ୍ତ କମିଯାଇଥିବାରୁ ରାସ୍ତାଘାଟ ଠିକ୍‌ଭାବେ ଦିଶୁନଥିଲା ଏବଂ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା।ଘନ କୁହୁଡ଼ିର ପ୍ରଭାବ ପୁରୀରେ ମଧ୍ୟ ସ୍ପଷ୍ଟ ଭାବେ ପଡ଼ିଛି।

ପ୍ରବଳ କୁହୁଡ଼ି ଯୋଗୁଁ ପୁରୀ ଶ୍ରୀମନ୍ଦିର ଓ ନୀଳଚକ୍ର ଦୃଶ୍ୟମାନ ହେଉନଥିବା ଦେଖାଯାଇଥିଲା। କୁହୁଡ଼ିର ମାତ୍ରା ଏତେ ଅଧିକ ଥିଲା ଯେ ଅତିନିକଟରୁ ମଧ୍ୟ ମନ୍ଦିର ଦେଖିବା କଷ୍ଟକର ହୋଇପଡିଥିଲା। ବଡ଼ ଦାଣ୍ଡରେ ମଧ୍ୟ ଦୃଶ୍ୟମାନ ଦୂରତା ଅତ୍ୟନ୍ତ କମିଯାଇଥିଲା।ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ରାତି ତାପମାତ୍ରା ତୁଳନାମୂଳକ ଭାବେ କମ୍ ରହିଛି। ଫୁଲବାଣୀ ଓ ରାଉରକେଲାରେ ପାରଦ ୧୨ ଡିଗ୍ରୀ ସେଲସିୟସ, ଝାରସୁଗୁଡ଼ାରେ ୧୩ ଡିଗ୍ରୀ ଏବଂ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ ଓ କେନ୍ଦୁଝରରେ ୧୪ ଡିଗ୍ରୀ ସେଲସିୟସ ରହିପାରେ।

ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୧୮ ଡିଗ୍ରୀ ବା ଏହାଠାରୁ ଅଧିକ ରହିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁସାରେ, ରାଜ୍ୟକୁ ଜଳୀୟବାଷ୍ଣପୂର୍ଣ୍ଣ ବାୟୁର ପ୍ରବାହ ହେତୁ କୁହୁଡ଼ିର ପ୍ରଭାବ ଜାରି ରହିଛି। ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବଢ଼ିବାର ସମ୍ଭାବନା ଥିଲେ ମଧ୍ୟ, ଥଣ୍ଡା କିଛି ମାତ୍ରାରେ ଜାରି ରହିବ ଏବଂ ସକାଳ ସମୟରେ ଘନ କୁହୁଡ଼ି ଅବସ୍ଥା ଆଗାମୀ କିଛି ଦିନ ଯାଏଁ ଚାଲି ରହିବ ବୋଲି ଅନୁମାନ କରାଯାଇଛି।

Leave a Reply

Your email address will not be published. Required fields are marked *