Sat. Feb 21st, 2026

ନ୍ୟୁଜ ଡେକ୍ସ : ଆଜିଠାରୁ CBSE ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି। ସକାଳ ୧୦ଟା ୩୦ ମିନିଟ୍ ଠାରୁ ଦୁପୁର ୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷା ହେବ। ଏହିବର୍ଷ ସାରା ଦେଶରେ ୪୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶ ନେବେ।ସିବିଏସଇ ସ୍ପଷ୍ଟ କରିଛି ଯେ ଦଶମ ଶ୍ରେଣୀରେ ଦୁଇଟି ବୋର୍ଡ ପରୀକ୍ଷା ଦେବା ବାଧ୍ୟତାମୂଳକ। ପ୍ରଥମ ବୋର୍ଡ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ମାତ୍ର ଦ୍ୱିତୀୟ ବୋର୍ଡ ପରୀକ୍ଷା ପାଇଁ ଅନୁମତି ପାଇବେ।

ଯେଉଁ ଛାତ୍ରଛାତ୍ରୀ ପ୍ରଥମ ବୋର୍ଡ ପରୀକ୍ଷା ଦେବେ ନାହିଁ, ସେମାନଙ୍କୁ ଦ୍ୱିତୀୟ ପରୀକ୍ଷାରେ ବସିବାକୁ ଅନୁମତି ମିଳିବ ନାହିଁ ଏବଂ ସେମାନେ ଏସେନସିଆଲ ରିପିଟ ବର୍ଗରେ ରହି ପରବର୍ଷ ପରୀକ୍ଷା ଦେବେ।ଦ୍ୱିତୀୟ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ ଓ ଭାଷା ବିଷୟମଧ୍ୟରୁ ଯେକୌଣସି ୩ଟି ବିଷୟ ଚୟନ କରି ନମ୍ବର ଉନ୍ନତି ପାଇଁ ପରୀକ୍ଷା ଦେଇପାରିବେ। ଯଦି କୌଣସି ଶିକ୍ଷାର୍ଥୀ ପ୍ରଥମ ବୋର୍ଡ ପରୀକ୍ଷାରେ ୩ଟି କିମ୍ବା ତାଠୁ ଅଧିକ ପେପର ଦେଇନଥିବେ, ସେମାନେ ଦ୍ୱିତୀୟ ପରୀକ୍ଷା ପାଇଁ ଅଯୋଗ୍ୟ ହେବେ। କମ୍ପାର୍ଟମେଣ୍ଟ ଫଳ ହେଲେ ସେମାନେ ଦ୍ୱିତୀୟ ପରୀକ୍ଷାରେ କମ୍ପାର୍ଟମେଣ୍ଟ ବର୍ଗରେ ବସିପାରିବେ।

ସିବିଏସଇ ବିଜ୍ଞପ୍ତି ଅନୁସାରେ, ଆଜି ପ୍ରଥମ ଦିନ ଦଶମ ଶ୍ରେଣୀର ଗଣିତ ପରୀକ୍ଷା ହେଉଛି, ଯାହାରେ ଷ୍ଟାଣ୍ଡାର୍ଡ ଓ ବେସିକ୍ ଦୁଇଟି ପେପର ରହିଛି। ସେହିପରି ଦ୍ୱାଦଶ ଶ୍ରେଣୀରେ ବାୟୋଟେକ୍ନୋଲୋଜି ଓ ଇଣ୍ଟରପ୍ରେନରସିପ୍ ବିଷୟର ପରୀକ୍ଷା ହେବ। ଦଶମ ଶ୍ରେଣୀର ପରୀକ୍ଷା ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ, ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ।ଏହି ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇ ଶାନ୍ତ ମନୋଭାବରେ ପରୀକ୍ଷା ଦେବାକୁ ଆହ୍ୱାନ କରିଛନ୍ତି।

Leave a Reply

Your email address will not be published. Required fields are marked *