Sat. Feb 21st, 2026

ନ୍ୟୁଜ ଡେକ୍ସ : ଆଜିଠୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ଏବର୍ଷ ୫ ଲକ୍ଷ ୬୧ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବା ସହ ୮ଟା ୧୫ ମିନିଟରେ ପରୀକ୍ଷା କେନ୍ଦ୍ରର ଗେଟ୍ ଖୋଲାଯାଇଛି। ରାଜ୍ୟର ୩୦୮୨ଟି ସେଣ୍ଟରରେ ପରୀକ୍ଷା ଆୟୋଜନ କରାଯାଇଛି।

ଆଜି ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ମାତୃଭାଷା ବିଷୟର ପରୀକ୍ଷା ଦେଉଛନ୍ତି।ପରୀକ୍ଷାକୁ ସୁଚାରୁ ଭାବେ ସଂଚାଳନ ପାଇଁ ସମସ୍ତ କେନ୍ଦ୍ରରେ CCTV ବ୍ୟବସ୍ଥା କରାଯାଇଛି। କଟକରେ ଅବସ୍ଥିତ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେସନ୍, ଓଡ଼ିଶା କାର୍ଯ୍ୟାଳୟରେ ଅତ୍ୟାଧୁନିକ କମାଣ୍ଡ କଣ୍ଟ୍ରୋଲ ରୁମ୍ ସ୍ଥାପିତ ହୋଇଛି। AI ସମ୍ପନ୍ନ CCTV କ୍ୟାମେରା ମାଧ୍ୟମରେ ସମସ୍ତ ସେଣ୍ଟର ଉପରେ ନଜର ରଖାଯାଉଛି। କପି କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବୋର୍ଡ ସତର୍କ କରିଛି। କପି ଯୋଗାଇବା କିମ୍ବା ଯେକୌଣସି ଅନିୟମିତତା କରିଲେ ମଧ୍ୟ କଡ଼ା ପଦକ୍ଷେପ ନିଆଯିବ। ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପାଇଁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ ସମୟ ଦିଆଯାଇଛି।

ପୂର୍ବରୁ ସକାଳ ୯ଟା ୧୫ ମିନିଟ ପର୍ଯ୍ୟନ୍ତ ସମୟ ଥିଲା, ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇଛି। ସକାଳ ସାଢେ ୯ଟା ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ କେନ୍ଦ୍ରରେ ପ୍ରବେଶ କରିପାରିବେ।ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ପାଇଁ ଅତିରିକ୍ତ ୫୦ ମିନିଟ ସମୟ ଦିଆଯିବ। ସେମାନଙ୍କ ପାଇଁ ସହାୟକ ଲେଖାଳି ବ୍ୟବସ୍ଥା କେନ୍ଦ୍ର ପକ୍ଷରୁ କରାଯିବ। ଯଦି ପରୀକ୍ଷାର୍ଥୀ ଇଚ୍ଛା କରିବେ, ତେବେ ଦଶମ ଶ୍ରେଣୀରୁ ତଳ ଶ୍ରେଣୀର ଛାତ୍ରକୁ ସହାୟକ ଲେଖାଳି ଭାବେ ନେଇପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *