ନ୍ୟୁଜ ଡେକ୍ସ : ମଣିଷ-ହାତୀ ସଂଘର୍ଷକୁ ହ୍ରାସ କରିବା ଉଦ୍ଦେଶ୍ୟରେ TP Southern Odisha Distribution Limited ପକ୍ଷରୁ ଗଜ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରାଯାଇଛି। ସ୍ବେଚ୍ଛାସେବୀ ସଂଗଠନ ସ୍ନେହାର ସହଯୋଗରେ ଏହାକୁ ପାଇଲଟ୍ ପ୍ରକଳ୍ପ ଭାବେ ଘୁମୁସର ଉତ୍ତର ବନଖଣ୍ଡରେ କାର୍ଯ୍ୟକ୍ଷମ କରାଯାଇଛି। ହାତୀଙ୍କୁ ବିଦ୍ୟୁତ ଆଘାତରୁ ରକ୍ଷା କରିବା, ସଚେତନତା ବୃଦ୍ଧି କରିବା ଓ ଜଙ୍ଗଲ ବିଭାଗ ସହ ବିଦ୍ୟୁତ ବିଭାଗର ସମନ୍ୱୟ ବଢ଼ାଇବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ।
ଘୁମୁସର ଉତ୍ତର ବନଖଣ୍ଡ ଅଧୀନରେ ମାଝଗଡ଼ା, ତାରାସିଂ, ଗାଲେରୀ ଓ ଜଗନ୍ନାଥପ୍ରସାଦ ଜଙ୍ଗଲ ରେଞ୍ଜରେ ପ୍ରାଥମିକ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅଞ୍ଚଳଗୁଡ଼ିକରେ ହାତୀଙ୍କ ଗତିବିଧି ବେଶି ଥିବାରୁ ସୁରକ୍ଷା ଦୃଷ୍ଟିରୁ ପଦକ୍ଷେପ ନିଆଯାଇଛି। ପ୍ରତିକ୍ରିୟାଶୀଳ ସୁରକ୍ଷା ପ୍ରଣାଳୀ ସହ ଦୁର୍ଘଟଣା ରୋକିବା ପାଇଁ ଏକ ହାଇବ୍ରିଡ୍ ମଡେଲ୍ ମଧ୍ୟ ବିକାଶ କରାଯାଇଛି। ବିଦ୍ୟୁତ ଜନିତ ବିପଦ ଥିବା ୧୧୪ଟି ସ୍ଥାନ ଚିହ୍ନଟ କରାଯାଇଛି। ସେଠାରେ ବିଜୁଳି ସୁରକ୍ଷା ବୃଦ୍ଧି ପାଇଁ ଆବଶ୍ୟକ ଆନୁଷଙ୍ଗିକ ପଦକ୍ଷେପ ନିଆଯାଇଛି। ସେହିଭଳି ବନ ଅଞ୍ଚଳ ସମୀପସ୍ଥ ଗ୍ରାମଗୁଡ଼ିକରେ କାନ୍ଥ ଚିତ୍ରକଳା, ପଥପ୍ରାନ୍ତ ନାଟକ, ଗ୍ରାମସ୍ତରୀୟ ସଭା ଓ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବନ୍ୟଜନ୍ତୁ ଓ ମନୁଷ୍ୟଙ୍କ ସହାବସ୍ଥାନ ନେଇ ବ୍ୟାପକ ଜାଗରୁକତା ସୃଷ୍ଟି କରାଯାଉଛି।କମ୍ପାନୀ ପକ୍ଷରୁ ପ୍ରାୟ ୧୯୦ କିଲୋମିଟର ଖୋଲା ବିଦ୍ୟୁତ ତାରକୁ ଆବଦ୍ଧ ତାରରେ ପରିବର୍ତ୍ତନ କରାଯାଇଛି।
ଏହା ସହ ଖୁଣ୍ଟ ମଧ୍ୟର ଦୂରତା କମେଇବା ପାଇଁ ଏକ ହଜାରରୁ ଅଧିକ ମଧ୍ୟବର୍ତ୍ତୀ ଖୁଣ୍ଟ ସ୍ଥାପନ କରାଯାଇଛି।ଟିପିଏସ୍ଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ ଜୈବ ବିବିଧତା ସଂରକ୍ଷଣ ଓ ଗୋଷ୍ଠୀ କଲ୍ୟାଣ ପାଇଁ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି। ଜଙ୍ଗଲ ବିଭାଗ ଓ ସ୍ଥାନୀୟ ସମୁଦାୟଙ୍କ ସହଭାଗିତାରେ ମଣିଷ-ହାତୀ ସଂଘର୍ଷ କମେଇବା ଦିଗରେ ଉଦ୍ୟମ ଚାଲିଛି।
ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି କହିଛନ୍ତି ଯେ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ। କମ୍ପାନୀର ସହଯୋଗରେ ପ୍ରକଳ୍ପକୁ ସଫଳ ରୂପେ ରୂପାୟଣ କରାଯିବା ସହ ସଂଘର୍ଷ ହ୍ରାସ ହେବାର ଆଶା ରହିଛି। ଟିପିଏସ୍ଓଡିଏଲ୍ କର୍ପୋରେଟ୍ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ଡିସକମର ସିଏସଆର୍ ମୁଖ୍ୟ ପ୍ରଦୀପ ଘୋଷାଲ, ଭଞ୍ଜନଗର ସର୍କଲ ମୁଖ୍ୟ ଅଭିଜିତ ପାଢ଼ୀ, ସିଏସଆର୍ ମୁଖ୍ୟ ଦିଲ୍ଲୀପ କୁମାର ସାହୁ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

