ନ୍ୟୁଜ ଡେକ୍ସ : ପଥଚାରୀଙ୍କ ସୁରକ୍ଷାକୁ ପ୍ରାଥମ୍ୟ ଦେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପଳାଶୁଣିରୁ ରସୁଲଗଡ଼ ପର୍ଯ୍ୟନ୍ତ ଏକ ଆଧୁନିକ ସ୍କାଏୱାକ୍ ନିର୍ମାଣ ପାଇଁ ପଦକ୍ଷେପ ନେଇଛି। ଏହି ସ୍କାଏୱାକର ଲମ୍ବ ପ୍ରାୟ ୫୦୦ ମିଟର ରହିବ ବୋଲି ସୂଚନା ମିଳିଛି।ବୁଧବାର NHAI ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆରେ ଏହା ସମ୍ବନ୍ଧିତ ଘୋଷଣା କରାଯାଇଛି।
ପଳାଶୁଣି-ରସୁଲଗଡ଼ ଛକ ସହରର ଏକ ଦୁର୍ଘଟଣାପ୍ରବଣ ଅଞ୍ଚଳ ଭାବେ ପରିଚିତ। ଭାରି ଯାନବାହନ ଚଳାଚଳ ହେଉଥିବାରୁ ପଥଚାରୀମାନେ ପ୍ରାୟସଃ ଜୀବନଜୋଖିମ ନେଇ ରାସ୍ତା ଅତିକ୍ରମ କରୁଛନ୍ତି।ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଲିଭେଟେଡ୍ କରିଡର ଆକାରରେ ସ୍କାଏୱାକ୍ ନିର୍ମାଣ କରାଯିବ। ଏହା ଚାଲୁ ହେଲେ ପଥଚାରୀମାନେ ଭୂମିସ୍ତରରେ ରାସ୍ତା ଅତିକ୍ରମ ନକରି ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥାନକୁ ପହଞ୍ଚି ପାରିବେ।
ସହରର ପ୍ରବେଶ ପଥରେ ଟ୍ରାଫିକ୍ ଅନୁଶାସନ ବଜାୟ ରଖିବା ସହିତ ଲୋକଙ୍କୁ ନିରାପଦ ଯାତ୍ରା ଅନୁଭୂତି ଦେବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ରହିଛି।ଏହି ସ୍କାଏୱାକ୍ ନିର୍ମାଣ ପାଇଁ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟ ହେବ ବୋଲି ଅନୁମାନ କରାଯାଇଛି। ପ୍ରକଳ୍ପଟି କାର୍ଯ୍ୟକାରୀ ହେଲେ ଏହି ଅଞ୍ଚଳରେ ଦୁର୍ଘଟଣା ହାର କମିବା ସହିତ ସାଧାରଣ ଲୋକଙ୍କ ପାଇଁ ଯାତାୟାତ ଅଧିକ ସୁବିଧାଜନକ ହେବ ବୋଲି ଆଶା କରାଯାଉଛି।

