ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱର ରେ ଜମୁଛି ପ୍ରସିଦ୍ଧ ତୋଷାଳୀ ମେଳା। ଚିକିମିକି ରଙ୍ଗୀନ ଆଲୋକମାଳାରେ ଝଲସୁଛି ସହରର ରାସ୍ତାଘାଟ। ଚଳିତବର୍ଷ ମେଳାର ଥିମ୍ ରହିଛି ସ୍ଵଦେଶୀ ଓ ଆତ୍ମନିର୍ଭର ଭାରତ, ଯାହା ଦର୍ଶକମାନଙ୍କ ମଧ୍ୟରେ ଅଧିକ ଆକର୍ଷଣ ସୃଷ୍ଟି କରିଛି। ସନ୍ଧ୍ୟା ହେଲେ ମେଳା ପ୍ରାଙ୍ଗଣରେ ରାଜଧାନୀବାସୀଙ୍କ ଭିଡ଼ ଦେଖିବାକୁ ମିଳୁଛି।
ଏବେର ମେଳାର ବିଶେଷ ଆକର୍ଷଣ ହେଉଛି ଡବଲ ଡେକର ବସ୍ରେ ସଜାଯାଇଥିବା ଫୁଡ୍ ଷ୍ଟଲ। ଏହା ସହ ଓଡ଼ିଶାର ପ୍ରାଚୀନ କଳା ଓ ସ୍ଥାପତ୍ୟର ପରିଚୟ ମୁଗୁନି ପଥରରେ ତିଆରି ବିଭିନ୍ନ ପ୍ରକାରର ବାସନ, ଛୋଟ ଖାଦ୍ୟ ପତ୍ର, ହେମଦସ୍ତା ଓ ଘରୋଇ ସାମଗ୍ରୀ ଦର୍ଶକଙ୍କ ନଜର କାଢ଼ୁଛି। ମୁଗୁନି ପଥରର ନିର୍ମିତ ମୂର୍ତ୍ତିଗୁଡ଼ିକ ମଧ୍ୟ ଖୁବ୍ ଆକର୍ଷଣୀୟ ହୋଇଛି।ଭାରତ ସରକାର ଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତଙ୍କ ପ୍ରାୟୋଜନାରେ ବିଭିନ୍ନ ରାଜ୍ୟରୁ ୧୫୦ଟି ଷ୍ଟଲରେ ହସ୍ତଶିଳ୍ପ କାରିଗରମାନେ ତାଙ୍କ କଳା ପ୍ରଦର୍ଶନ କରୁଛନ୍ତି। ଏହାସହ ହସ୍ତତନ୍ତ ବିକାଶ ଆୟୁକ୍ତଙ୍କ ପକ୍ଷରୁ ୫୦ଟି ଷ୍ଟଲରେ ବୁଣାକାରମାନେ ସେମାନଙ୍କ ବୁଣା କାମ ଦେଖାଉଛନ୍ତି। ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟଙ୍କ ପ୍ରଯୋଜନାରେ କ୍ରମେ ୨୮୧ ଜଣ କାରିଗର ଓ ୧୫୦ ଜଣ ବୁଣାକାର ତାଙ୍କ ଉତ୍ପାଦ ପ୍ରଦର୍ଶନ କରୁଛନ୍ତି।
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବର୍ଗର ଉତ୍ପାଦ ୨୦୦ଟି ଷ୍ଟଲରେ ଉପଲବ୍ଧ ରହିଛି। ୬୦ଟି ଷ୍ଟଲରେ ଦର୍ଶକମାନେ ସ୍ଵଦେଶୀ ଖାଦ୍ୟର ସ୍ଵାଦ ଉଠାଇପାରୁଛନ୍ତି। ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ, ରେଶମ ଓଡ଼ିଶା ଓ ଉତ୍କଳିକା ମିଶି ୪ଟି ଷ୍ଟଲରେ ସେମାନଙ୍କ ବିଶେଷ ଉତ୍ପାଦ ପ୍ରଦର୍ଶନ କରିଛନ୍ତି।ପାରମ୍ପରିକ ହସ୍ତଶିଳ୍ପ ଓ ହସ୍ତତନ୍ତର ସଂରକ୍ଷଣ ସହ ବିକ୍ରୟର ଏକ ଉତ୍କୃଷ୍ଟ ମଞ୍ଚ ଭାବେ ଏହି ମେଳା କାରିଗର ଓ ବୁଣାକାରମାନଙ୍କ ପାଇଁ ଭଲ ସୁଯୋଗ ସୃଷ୍ଟି କରିଛି ବୋଲି ସଭିଙ୍କର ମତ।

