Mon. Dec 23rd, 2024

ନ୍ୟୁଜ ଡେକ୍ସ: ଜମ୍ମୁ-କଶ୍ମୀର ଏକ କେନ୍ଦ୍ର ଶାସିତ ଅଞ୍ଚଳ ବୋଲି ଘୋଷଣା ହେବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଓମାର ଅବଦୁଲ୍ଲା। ଧାରା ୩୭୦ ଉ‌ଚ୍ଛେଦ ହେବା ପରଠାରୁ ଏହି ଅଞ୍ଚଳର ପ୍ରଥମ ବିଧାନସଭା ନିର୍ବାଚନରେ ତାଙ୍କ ନେସ୍‌ନାଲ୍‌ କନ୍‌ଫରେନ୍ସ ଦଳ ବିଜୟ ଲାଭ କରିଥିବା ବ‌େଳେ ସେ ଆଜି ଶପଥ ନେଇଛନ୍ତି।

ଶପଥ ଗ୍ରହଣ ପୂର୍ବରୁ ଓମାର ଅବଦୁଲ୍ଲା ଶେଖ୍ ମହମ୍ମଦ ଅବଦୁଲ୍ଲାଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଓମାରଙ୍କ ସହ ନେସନାଲ କନ୍‌ଫରେନ୍ସ ନେତା ସୁରିନ୍ଦର ଚୌଧୁରୀ ଜମ୍ମୁ କାଶ୍ମୀରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହା ବ୍ୟତୀତ ସତୀଶ ଶର୍ମା, ସକୀନା ଇଟୁ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କଂଗ୍ରେସ ଦଳ ସରକାରରେ ସାମିଲ ହୋଇନାହିଁ। ବାହାରୁ ଓମାର ସରକାରଙ୍କୁ ସମର୍ଥନ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ଓମାର ଅବଦୁଲ୍ଲା 2009ରୁ 2014 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏହି ସମୟରେ ନ୍ୟାସନାଲ କନଫରେନ୍ସ ଏବଂ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିଥିଲେ। ଚଳିତ ନିର୍ବାଚନରେ ମଧ୍ୟ ଦୁଇ ଦଳ ଏକାଠି ଲଢିଥିଲେ ଏବଂ ମିଳିତ ଭାବେ ସରକାର ଗଠନ କରିଛନ୍ତି। କିନ୍ତୁ କଂଗ୍ରେସ ପକ୍ଷରୁ କୌଣସି ଜଣେ ହେଲେ ବିଧାୟକ ପ୍ରାଥମିକ ପର୍ଯ୍ୟାୟରେ ଶପଥ ନେଇନାହାନ୍ତି।

ଏହି ଶପଥ ଗ୍ରହଣ ସମାରୋହକୁ ଇଣ୍ଡିଆ ବ୍ଲକର ପ୍ରମୁଖ ନେତା ରାହୁଲ ଗାନ୍ଧୀ, ଲୋକସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖର୍ଗେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖଙ୍କୁ ନିମନ୍ତ୍ରଣ ରହିଥିଲା। ଏନସିପି ସଭାପତି ଶରଦ ପାୱାର, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ଆରଜେଡିର ଲାଲୁ ପ୍ରସାଦ ଯାଦବ ଏବଂ ଡିଏମକେର ଏମ କେ ଷ୍ଟାଲିନଙ୍କ ବ୍ୟତୀତ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ଶିବସେନାର ଉଦ୍ଧବ ଠାକରେ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପିଡିପିର ମେହବୁବା ମୁଫତି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଆପର ଅରବିନ୍ଦ କେଜ୍ରିୱାଲଙ୍କ ନାମ ବି ରହିଥିଲା।

Leave a Reply

Your email address will not be published. Required fields are marked *