Thu. Feb 26th, 2026

ନ୍ୟୁଜ ଡେକ୍ସ : ଭାରତ ଏବଂ ଇସ୍ରାଏଲ ମଧ୍ୟରେ ରଣନୈତିକ ସମ୍ପର୍କକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବୁଧବାର ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନ ‘ସ୍ପିକର୍ ଅଫ ଦ ନେସେଟ୍’ ପ୍ରଦାନ କରାଯାଇଛି। ସେ ଏହି ପଦକ ପାଇଥିବା ପ୍ରଥମ ଭାରତୀୟ ନେତା ହେବାର ସଫଳତା ଅର୍ଜନ କରିଛନ୍ତି।

ଏହି ସମ୍ମାନ ଇସ୍ରାଏଲୀ ସଂସଦ ନେସେଟ୍ର ସର୍ବୋଚ୍ଚ ପୁରସ୍କାର ଭାବେ ପରିଚିତ।ଇସ୍ରାଏଲୀ ସଂସଦରେ ତାଙ୍କ ଅଭିଭାଷଣ ପରେ ନେସେଟ୍ ବାଚସ୍ପତି ଆମିର ଓହାନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଦକ ପ୍ରଦାନ କରିଥିଲେ। ଭାରତ-ଇସ୍ରାଏଲ ସମ୍ପର୍କକୁ ନୂତନ ଉଚ୍ଚତାକୁ ନେବାରେ ମୋଦୀଙ୍କ ଅବଦାନକୁ ସ୍ୱୀକାର କରି ଏହି ସମ୍ମାନ ଦିଆଯାଇଥିବା କୁହାଯାଇଛି।ସମ୍ମାନ ପ୍ରାପ୍ତି ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା କୌଣସି ଜଣେ ବ୍ୟକ୍ତିଙ୍କ ପାଇଁ ସମ୍ମାନ ନୁହେଁ, ବରଂ ଭାରତ ଓ ଇସ୍ରାଏଲ ମଧ୍ୟରେ ସ୍ଥାୟୀ ବନ୍ଧୁତା ପ୍ରତି ଶ୍ରଦ୍ଧାଞ୍ଜଳି। ସୋସିଆଲ ମିଡିଆରେ ସେ ଲେଖିଛନ୍ତି, “ନେସେଟ୍ ପଦକ ପାଇବାରେ ମୁଁ ଗଭୀର ଭାବରେ ସମ୍ମାନିତ। ଏହାକୁ ନମ୍ରତା ଓ କୃତଜ୍ଞତା ସହିତ ଗ୍ରହଣ କରୁଛି।”

ସେ କହିଛନ୍ତି, ଏହି ସମ୍ମାନ ଦୁଇ ଦେଶକୁ ମାର୍ଗଦର୍ଶନ କରୁଥିବା ସାଧାରଣ ମୂଲ୍ୟବୋଧକୁ ପ୍ରତିଫଳିତ କରେ।ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଏପରି ଏକ ବିଶ୍ୱନେତା ଯିଏ ଇସ୍ରାଏଲ ଓ ପାଲେଷ୍ଟାଇନ ଉଭୟ ପକ୍ଷରୁ ସର୍ବୋଚ୍ଚ ସମ୍ମାନ ପାଇଛନ୍ତି। ୨୦୧୮ ମସିହାରେ ସେ ଗ୍ରାଣ୍ଡ କଲାର ଅଫ ଦ ଷ୍ଟେଟ୍ ଅଫ ପାଲେଷ୍ଟାଇନ ସମ୍ମାନରେ ସମ୍ମାନିତ ହୋଇଥିଲେ, ଯାହା ବିଦେଶୀ ନେତାଙ୍କ ପାଇଁ ପାଲେଷ୍ଟାଇନର ସର୍ବୋଚ୍ଚ ପୁରସ୍କାର।

ବିଭିନ୍ନ ଦେଶ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୨୮ରୁ ଅଧିକ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କ ନଅ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏହା ଇସ୍ରାଏଲକୁ ତାଙ୍କ ଦ୍ୱିତୀୟ ଗସ୍ତ। ଜୁଲାଇ ୨୦୧୭ର ପ୍ରଥମ ଗସ୍ତ ସମୟରେ ଭାରତ-ଇସ୍ରାଏଲ ସମ୍ପର୍କକୁ ରଣନୈତିକ ସହଭାଗୀତା ସ୍ତରକୁ ଉନ୍ନତ କରାଯାଇଥିଲା, ଯାହା ପରେ ଦୁଇ ଦେଶ ମଧ୍ୟରେ ସହଯୋଗ ଆହୁରି ମଜବୁତ ହୋଇଛି।

Leave a Reply

Your email address will not be published. Required fields are marked *