Sat. Feb 28th, 2026

ନ୍ୟୁଜ ଡେକ୍ସ : ପାରାଦ୍ୱୀପ ବନ୍ଦରରେ ଏଣିକି ଗ୍ରୀନ୍ ହାଇଡ୍ରୋଜେନ୍ ଓ ଆମୋନିଆ ଭଳି ପରିବେଶ ଅନୁକୂଳ ଜାଳେଣିର କାରବାର ଆରମ୍ଭ ହେବାକୁ ଯାଉଛି। ଏହି ପାଇଁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ୭୯୭.୧୭ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଜେଟି ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ପାରାଦ୍ୱୀପ ପୋର୍ଟ ଅଥରିଟି (PPA) ଏହି ପ୍ରକଳ୍ପ ଖର୍ଚ୍ଚର ପ୍ରାୟ ୨୦ ଶତଂଶ, ଅର୍ଥାତ୍ ୧୫୯.୪୩ କୋଟି ଟଙ୍କା ନିଜେ ବହନ କରିବ।

ଆସନ୍ତା ୨୪ ମାସ ମଧ୍ୟରେ ପ୍ରକଳ୍ପର କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆରମ୍ଭ ସମୟରେ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟତୀତ ଅନ୍ୟାନ୍ୟ ତରଳ ପଦାର୍ଥ ପରିବହନ ପାଇଁ ମଧ୍ୟ ଏହି ଜେଟିକୁ ବ୍ୟବହାର କରାଯିବ, ଯାହା ଫଳରେ ବନ୍ଦରର ବ୍ୟବସାୟିକ ଲାଭ ବୃଦ୍ଧି ପାଇବ।ପ୍ରସ୍ତାବିତ ଜେଟିରେ ବାର୍ଷିକ ୪.୦ ନିୟୁତ ଟନ୍ ପରିଚାଳନା କ୍ଷମତା ରହିବ। ସବୁଜ ଶକ୍ତି କାର୍ଗୋ ପାଇଁ ଏକ ହବ୍ ଭାବରେ ପାରାଦ୍ୱୀପ ବନ୍ଦରର ଭୂମିକାକୁ ସୁଦୃଢ଼ କରିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି। ଏଥିରେ ସଂରକ୍ଷଣ ପ୍ରଣାଳୀ, ପାଇପଲାଇନ୍, ପରିଚାଳନା ଉପକରଣ ଓ ସମ୍ପୃକ୍ତ ଅନ୍ୟାନ୍ୟ ସୁବିଧା ଅନ୍ତର୍ଭୁକ୍ତ ହେବ। ଏହି ପ୍ରକଳ୍ପକୁ ଅନୁମୋଦନ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ବନ୍ଦର ଏବଂ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଏହି ପଦକ୍ଷେପ ଓଡ଼ିଶାର ସବୁଜ ଶକ୍ତି କ୍ଷେତ୍ରରେ ବଡ଼ ମାଇଲସ୍ଟୋନ୍ ସାବ୍ୟସ୍ତ ହେବ।

୪ MTPA କ୍ଷମତା ସହିତ ଏହି ଜେଟି ଓଡ଼ିଶାର ଉଦୀୟମାନ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କ୍ଲଷ୍ଟରଗୁଡ଼ିକୁ ବିଶ୍ୱ ବଜାର ସହ ସଂଯୋଗ କରିବ। ଏହା ସ୍ୱଚ୍ଛ ଶକ୍ତି ରପ୍ତାନି ଲଜିଷ୍ଟିକ୍ସକୁ ମଜବୁତ କରିବା ସହିତ ଭାରତର ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନକୁ ଆଗକୁ ବଢ଼ାଇବ। ସେଥିପାଇଁ ସବୁଜ ନିବେଶକୁ ତ୍ୱରାନ୍ୱିତ କରିବା, ନିଯୁକ୍ତି ସୃଷ୍ଟି ଏବଂ ସ୍ଥାୟୀ ସାମୁଦ୍ରିକ ଅର୍ଥନୀତି ଗଠନରେ ଏହା ଓଡ଼ିଶାକୁ ନୂତନ ଦିଗ ଦେବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *