ନ୍ୟୁଜ ଡେକ୍ସ : ଆମେରିକା ଓ ଇସ୍ରାଏଲଙ୍କ ମିଳିତ ଆକ୍ରମଣ ପରେ ଇରାନ ପ୍ରତିଶୋଧ ସ୍ୱରୂପ ବିଭିନ୍ନ ଦେଶରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରିଛି। ଏହି ତିବ୍ର ପରିସ୍ଥିତି ମଧ୍ୟରେ ଶନିବାର ଦୁବାଇରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ପରିସ୍ଥିତି ଗମ୍ଭୀର ହେବାରୁ ବିଶ୍ୱର ସର୍ବୋଚ୍ଚ ଗଗନଚୁମ୍ବୀ ଭବନ Burj Khalifa କୁ ସତର୍କତାସୂଚକ ଭାବେ ଖାଲି କରାଯାଇଥିଲା।
ଇରାନୀ ଆକ୍ରମଣର ପ୍ରଭାବରେ ବିଶ୍ୱର ସବୁଠାରୁ ବ୍ୟସ୍ତ ବିମାନବନ୍ଦରମଧ୍ୟରୁ ଗୋଟିଏ Dubai International Airport କୁ ଅସ୍ଥାୟୀଭାବେ ବନ୍ଦ କରାଯାଇଛି। ବିମାନବନ୍ଦର ନିକଟରେ ଏକାଧିକ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିବାରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସମସ୍ତ ଉଡ଼ାଣ ସ୍ଥଗିତ ରଖାଯାଇଛି।ଦୁବାଇର ପ୍ରସିଦ୍ଧ କୃତ୍ରିମ ଦ୍ୱୀପ Palm Jumeirah ରେ ଅବସ୍ଥିତ Fairmont The Palm ହୋଟେଲକୁ କ୍ଷେପଣାସ୍ତ୍ର ଆଘାତ କରିଥିବା ଖବର ମିଳିଛି। ସୋସିଆଲ ମିଡିଆରେ ପ୍ରଚାରିତ ଭିଡିଓରେ ପର୍ଯ୍ୟଟକମାନଙ୍କ ପ୍ରିୟ ଏହି ସ୍ଥାନରେ ନିଆଁ ଲାଗିଥିବା ଦେଖାଯାଇଛି। ଦୁଇଜଣ ପ୍ରତ୍ୟକ୍ଷଦର୍ଶୀ ଏଏଫପିକୁ କହିଛନ୍ତି ଯେ ସେମାନେ ଭୟଙ୍କର ବିସ୍ଫୋରଣ ଶୁଣିଥିଲେ ଏବଂ ଦି ପାମ୍ ଅଞ୍ଚଳରୁ ଧୂଆଁ ଉଠୁଥିବା ଦେଖିଥିଲେ। ଏହି ଘଟଣା ପରେ Ministry of Defence UAE ଟ୍ୱିଟ୍ କରି କହିଛି ଯେ ଆଜି UAE ଇରାନୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣର ସମ୍ମୁଖୀନ ହୋଇଛି। UAEର ବାୟୁ ପ୍ରତିରକ୍ଷା ପ୍ରଣାଳୀ ସକ୍ରିୟ ହୋଇ ଅନେକ କ୍ଷେପଣାସ୍ତ୍ରକୁ ସଫଳତାର ସହ ପ୍ରତିହତ କରିଥିବା ଦାବି କରାଯାଇଛି।
କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ କିଛି କ୍ଷେପଣାସ୍ତ୍ରର ଭଗ୍ନାବଶେଷ ଏକ ଆବାସିକ ଅଞ୍ଚଳରେ ପଡ଼ିଥିଲା, ଯାହା ଫଳରେ ସମ୍ପତ୍ତି କ୍ଷତି ଘଟିଛି। ଏହି ଭଗ୍ନାବଶେଷ ପଡ଼ିବାରୁ ଜଣେ ଏସୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ନିଶ୍ଚିତ କରାଯାଇଛି। ତଥାପି United Arab Emirates ରେ ସୁରକ୍ଷା ପରିସ୍ଥିତି ସ୍ଥିର ରହିଥିବା ଓ ସମସ୍ତ ସମ୍ପୃକ୍ତ ଏଜେନ୍ସି ଦିନରାତି ନଜର ରଖିଥିବା କର୍ତ୍ତୃପକ୍ଷ କହିଛନ୍ତି। ମଧ୍ୟପୂର୍ବରେ ବଢ଼ୁଥିବା ଟଣାଟଣିକୁ ନେଇ ବିଶ୍ୱ ମହଳର ଚିନ୍ତା ଆହୁରି ବୃଦ୍ଧି ପାଇଛି।

