ନ୍ୟୁଜ ଡେକ୍ସ : ଆସନ୍ତା ମାର୍ଚ୍ଚ ୩ ତାରିଖ ମଙ୍ଗଳବାର ଦୋଳ ପୂର୍ଣ୍ଣିମା ଦିନ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗୁଛି। ଭାରତୀୟ ସମୟ ଅନୁସାରେ ଦିନ ୨ଟା ୧୪ମିନିଟରେ ଏହି ଚନ୍ଦ୍ରଗ୍ରହଣ ଆରମ୍ଭ ହେବ। ଦିନ ୩ଟା ୨୦ମିନିଟ ସମୟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ। ପାଞ୍ଜି ଅନୁସାରେ ସକାଳ ୬ଟା ୨୦ମିନିଟରୁ ଘାତ ସମୟ ଆରମ୍ଭ ହେବ ବୋଲି ଲେଖା ରହିଛି।
ଏହି ସମୟରୁ ପାକ ନିଷେଧ ଲାଗୁ ହେବା ସହ ଦେବନୀତି ମଧ୍ୟ ବନ୍ଦ ରହିବ।ଆଂଶିକ ଗ୍ରହଣ ଦିନ ୩ଟା ୨୦ମିନିଟରେ ଆରମ୍ଭ ହୋଇ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଅପରାହ୍ନ ୪ଟା ୩୪ମିନିଟରୁ ୫ଟା ୩୨ମିନିଟ ପର୍ଯ୍ୟନ୍ତ ଘଟିବ। ପରେ ଆଂଶିକ ଗ୍ରହଣ ସନ୍ଧ୍ୟା ୬ଟା ୪୭ମିନିଟରେ ଶେଷ ହେବ। ଓଡ଼ିଶାରେ ଏହି ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୬ଟାରୁ ୬ଟା ୪୭ମିନିଟ ପର୍ଯ୍ୟନ୍ତ ମାତ୍ର ଆଂଶିକ ଭାବେ ଦେଖାଯିବ। ୨୦୨୬ ମସିହାରେ ମୋଟ ୨ଟି ଚନ୍ଦ୍ରଗ୍ରହଣ ଓ ୨ଟି ସୂର୍ଯ୍ୟ ପରାଗ ଦେଖାଯିବ ବୋଲି ସୂଚନା ମିଳିଛି। ଚନ୍ଦ୍ରଗ୍ରହଣ ଏକ ବିରଳ ଓ ସୁନ୍ଦର ମହାଜଗତିକ ଦୃଶ୍ୟ, ଯାହାକୁ ଖାଲି ଆଖିରେ ସହଜରେ ଦେଖିହେବ।
ଏହାର କୌଣସି କୁପ୍ରଭାବ ମନୁଷ୍ୟ ବା ପୃଥିବୀ ଉପରେ ନଥାଏ।ଜନ ବିଜ୍ଞାନୀ ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କ କହିବା ଅନୁସାରେ, ଚନ୍ଦ୍ରଗ୍ରହଣ କେବଳ ପୂର୍ଣ୍ଣିମା ତିଥିରେ ଘଟେ। ପୃଥିବୀର ଦୁଇ ପ୍ରକାରର ଛାଇ ରହିଛି। ପ୍ରଥମଟି ଉପଛାୟା, ଯାହା ଫିକା କଳା ରଙ୍ଗର ଥାଏ ଓ ଖାଲି ଆଖିରେ ସ୍ପଷ୍ଟ ଭାବେ ଦେଖିବା କଷ୍ଟକର। ଦ୍ୱିତୀୟଟି ଗାଢ଼ା କଳା ଛାୟା, ଯାହାକୁ ଖାଲି ଆଖିରେ ସହଜରେ ପରିଚ୍ଛନ୍ନ ଭାବେ ଦେଖାଯାଇପାରେ।

