ନ୍ୟୁଜ ଡେକ୍ସ : ଇରାନ ଓ ଇଜ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଥିବାବେଳେ ପଶ୍ଚିମ ଏସିଆ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି। ଏହାର ପ୍ରଭାବ ସାମୁଦ୍ରିକ ମାର୍ଗ ଓ ଇନ୍ଧନ ଯୋଗାଣ ଉପରେ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏହି ପରିପ୍ରେକ୍ଷିତରେ ଭାରତ ସରକାର ସିପିଂ କମ୍ପାନୀମାନଙ୍କ ପାଇଁ ସତର୍କତା ବଢ଼ାଇଛନ୍ତି।ସିପିଂ ମହାନିର୍ଦ୍ଦେଶାଳୟ ଭାରତୀୟ ନାବିକମାନଙ୍କୁ ସମ୍ପର୍କିତ କ୍ଷେତ୍ରରେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।
ବିଦେଶ ମନ୍ତ୍ରାଳୟ ଓ ତେହେରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଥିବା ଅଧିକାରୀକ ନିର୍ଦ୍ଦେଶାବଳୀକୁ କଠୋରଭାବେ ପାଳନ କରିବାକୁ କୁହାଯାଇଛି।ପୋର୍ଟସ୍, ସିପିଂ ଏବଂ ୱାଟରୱେଜ୍ ମନ୍ତ୍ରାଳୟ ଅନୁସାରେ ସମୁଦ୍ର କ୍ଷେତ୍ର ସମ୍ପର୍କିତ ସମସ୍ତ ହିତାଧିକାରୀ, ଯଥା ସିପିଂ କମ୍ପାନୀ, ପୋତ ପ୍ରବନ୍ଧକ ଓ ଏଜେନ୍ସୀମାନଙ୍କୁ ଭାରତୀୟ ଚାଳକଦଳ ସଦସ୍ୟଙ୍କ ସୁରକ୍ଷା ଉପରେ ନିରନ୍ତର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
କୌଣସି ଜରୁରିକାଳୀନ ପରିସ୍ଥିତି ଉଦ୍ଭବିତ ହେଲେ ସମ୍ପର୍କିତ ସୁରକ୍ଷା ସୂଚନାକୁ ତୁରନ୍ତ ସରକାରୀ ଅଧିକାରୀଙ୍କ ସହ ସେୟାର କରିବାକୁ କୁହାଯାଇଛି, ଯାହା ଦ୍ୱାରା ସମୟୋଚିତ ପଦକ୍ଷେପ ଗ୍ରହଣ କରାଯାଇପାରିବ। ଏପରି ସ୍ଥିତିରେ ଭାରତ ସ୍ପଷ୍ଟ କରିଛି ଯେ, ଉପୁଜିଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ ପାରସ୍ପରିକ ବାର୍ତ୍ତାଳାପ ଓ କୂଟନୈତିକ ପଦକ୍ଷେପ ଗ୍ରହଣ କରାଯିବା ଅତ୍ୟାବଶ୍ୟକ।

