Thu. Mar 5th, 2026

ନ୍ୟୁଜ ଡେକ୍ସ : ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଥିବା ଏକ ରାସାୟନିକ ୟୁନିଟ୍‌ରୁ ଓଲିୟମ୍ ଗ୍ୟାସ୍ ଲିକ୍ ଘଟଣା ଚଞ୍ଚଳ ସୃଷ୍ଟି କରିଛି। ଏହି ଘଟଣାରେ ପ୍ରାୟ ୧,୬୦୦ ଛାତ୍ରଙ୍କ ସମେତ ୨୦୦୦ରୁ ଅଧିକ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଗ୍ୟାସ୍ ଲିକ୍ ହେବା ପରେ ପାଞ୍ଚ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଘନ ଧଳା ଧୂଆଁ ବ୍ୟାପିଯାଇଥିଲା।

ଘଟଣାଟି ବୋଇସର MIDC ଶିଳ୍ପ ଅଞ୍ଚଳର ଭାଗେରିଆ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ରେ ଅପରାହ୍ନ ପ୍ରାୟ ୨ଟା ସମୟରେ ଘଟିଥିଲା। ଗ୍ୟାସ୍ ଲିକ୍ ପରେ ବୋଇସର ସହର ଉପରେ ଧୂଆଁର ଘନ ମେଘ ଛାଇଯାଇଥିଲା ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ ଏହି ଅଞ୍ଚଳକୁ ସିଲ୍ କରିଦେଇଛି।ପାଲଘର ଜିଲ୍ଲା କଲେକ୍ଟର ଡକ୍ଟର ଇନ୍ଦୁ ରାଣୀ ଜାଖର ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟ ତଦାରଖ କରୁଥିଲେ। ସେ କହିଛନ୍ତି ଯେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ତୁରନ୍ତ ସକ୍ରିିୟ କରାଯାଇଥିଲା ଏବଂ ସମସ୍ତ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରଖି ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି।

ସେ ଲୋକମାନଙ୍କୁ ଗୁଜବରେ ବିଶ୍ୱାସ ନ କରି ଘର ଭିତରେ ରହି ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରିଛନ୍ତି। ପୋଲିସ ଅଧିକ୍ଷକ ଯତୀଶ ଦେଶମୁଖ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ଓ ଅଗ୍ନିଶମ ବାହିନୀ ମିଶି ଗ୍ୟାସ୍ ଲିକ୍‌କୁ ନିୟନ୍ତ୍ରଣ କରିବା ପାଇଁ ଅଭିଯାନ ଚଳାଇଛନ୍ତି। ଲୋକମାନଙ୍କୁ ପବନ ଓ ଧୂଆଁର ବିପରୀତ ଦିଗକୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଓ ଭୟଭୀତ ନ ହେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।ସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଉଦ୍ୟମ ଜାରି ରହିଛି ଏବଂ ଅଞ୍ଚଳରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *