ନ୍ୟୁଜ ଡେକ୍ସ : ପ୍ରାଚ୍ୟ ଅଞ୍ଚଳରେ ଚାଲୁଥିବା ଯୁଦ୍ଧ ଓ ବୃଦ୍ଧି ପାଉଥିବା ଆନ୍ତର୍ଜାତୀୟ ଉତ୍ତେଜନା ମଧ୍ୟରେ ଭାରତ ନିଜ ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଦିଗରେ ପଦକ୍ଷେପ ନେଇଛି। ରୁଷଠାରୁ ଆଉ ୫ଟି S-400 ଏୟାର ଡିଫେନ୍ସ ସିଷ୍ଟମ କ୍ରୟ କରିବାକୁ ଭାରତ ଆଗ୍ରହ ପ୍ରକାଶ କରିଛି। ବର୍ତ୍ତମାନ ଭାରତ ନିକଟରେ ୩ଟି S-400 ସିଷ୍ଟମ କାର୍ଯ୍ୟରତ ଥିବାବେଳେ ଅନ୍ୟ ୫ଟି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସୂଚନା ମିଳିଛି।
ଗତବର୍ଷ ହୋଇଥିବା ଅପରେସନ ସିନ୍ଦୂର ସମୟରେ S-400 ଏୟାର ଡିଫେନ୍ସ ସିଷ୍ଟମର ସଫଳ ବ୍ୟବହାର ହୋଇଥିବା କୁହାଯାଉଛି। ସେତେବେଳେ ପାକିସ୍ତାନ ପକ୍ଷରୁ ଛୋଡ଼ାଯାଇଥିବା ବହୁ ମିସାଇଲ ଓ ବିମାନକୁ ଏହି ସିଷ୍ଟମ ଧ୍ଵଂସ କରିଥିଲା ବୋଲି ସୁରକ୍ଷା ମଣ୍ଡଳୀରେ ଚର୍ଚ୍ଚା ହୋଇଥିଲା। ଏହା ପରେ ଏହି ଏୟାର ଡିଫେନ୍ସ ସିଷ୍ଟମକୁ ସୁଦର୍ଶନ ଚକ୍ର ବୋଲି ମଧ୍ୟ କୁହାଯାଇଥିଲା।ଏପଟେ ଇରାନ ବିରୋଧରେ ହୋଇଥିବା ଅପରେସନ ଫ୍ୟୁରୀ ବେଳେ ସୁପ୍ରିମ ଲିଡର ଆୟାତୋଲ୍ଲା ଖାମେନେଇଙ୍କୁ ସୁନିର୍ଦ୍ଦିଷ୍ଟ ଆକ୍ରମଣରେ ହତ୍ୟା କରାଯାଇଥିବା ଘଟଣାକୁ ନେଇ ବିଶ୍ୱସ୍ତରରେ ଚର୍ଚ୍ଚା ଚାଲିଛି।
ଏପରି ଘଟଣାମାନେ ଆକାଶପଥ ସୁରକ୍ଷାର ଗୁରୁତ୍ୱକୁ ଆଉଥରେ ଉଜାଗର କରିଛି। ବର୍ତ୍ତମାନ ଭାରତ ନିଜ ସୀମା ସୁରକ୍ଷା ଓ ଆକାଶ ପରିରକ୍ଷାକୁ ଆହୁରି ସୁଦୃଢ କରିବା ପାଇଁ ଦୀର୍ଘମିଆଦି ଯୋଜନା ତିଆରି କରୁଛି। S-400 ଏୟାର ଡିଫେନ୍ସ ସିଷ୍ଟମ ଯୋଗ ହେଲେ ଭାରତର ରକ୍ଷା କ୍ଷମତା ଆହୁରି ବୃଦ୍ଧି ପାଇବ ଓ ଶତୃ ପକ୍ଷର ମିସାଇଲ ଓ ବିମାନ ଆକ୍ରମଣକୁ ସମୟରେ ପ୍ରତିହତ କରିବାରେ ଦେଶ ସକ୍ଷମ ହେବ ବୋଲି ମନେ କରାଯାଉଛି।

