ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗର ରାଜ୍ୟପାଳ ସିଭି ଆନନ୍ଦ ବୋଷ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି। ବୋଷ ପ୍ରାୟ ସାଢ଼େ ୩ ବର୍ଷ ଧରି ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ଦାୟିତ୍ୱ ପାଳନ କରିଥିଲେ। ଆଗାମୀ ବିଧାନସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ତାଙ୍କ ଇସ୍ତଫାକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି।
ଇସ୍ତଫା ପରେ ବୋଷ କହିଛନ୍ତି ଯେ, ଦୀର୍ଘ ସମୟ ଧରି ରାଜ୍ୟପାଳ ଭାବେ କାର୍ଯ୍ୟାଳୟରେ ରହି କାମ କରିଥିବାରୁ ସେ ଆଗକୁ ଏହି ଦାୟିତ୍ୱ ଜାରି ରଖିବାକୁ ଇଚ୍ଛୁକ ନୁହେଁ। ପୂର୍ବତନ ଆଇଏଏସ୍ ଅଧିକାରୀ ସିଭି ଆନନ୍ଦ ବୋଷଙ୍କୁ ୨୦୨୨ ନଭେମ୍ବରରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ।ଏହି ମଧ୍ୟରେ, ବୋଷଙ୍କ ସ୍ଥାନରେ ତାମିଲନାଡୁର ରାଜ୍ୟପାଳ ଆର.ଏନ. ରବିଙ୍କୁ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଆର.ଏନ. ରବି ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ ଏବଂ ସେ ସିବିଆଇ (CBI) ଓ ଆଇବି (IB) ଭଳି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାରେ କାର୍ଯ୍ୟ କରିଥିଲେ। ଏହା ସହ ଦେଶର ଅନେକ ରାଜ୍ୟରେ ମଧ୍ୟ ରାଜ୍ୟପାଳ ନିଯୁକ୍ତିରେ ପରିବର୍ତ୍ତନ କରାଯାଇଛି।
ହିମାଚଳ ପ୍ରଦେଶର ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଳାଙ୍କୁ ତେଲେଙ୍ଗାନାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିବାବେଳେ, ତେଲେଙ୍ଗାନାର ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମାଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ପଠାଯାଇଛି। ନନ୍ଦ କିଶୋର ଯାଦବଙ୍କୁ ନାଗାଲାଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।ସେହିପରି, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଆତା ହସନୈନଙ୍କୁ ବିହାରର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। କେରଳର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାମିଲନାଡୁର ରାଜ୍ୟପାଳ ଭାବେ ଦାୟିତ୍ୱ ସମ୍ଭାଳିବେ।
ଲଦାଖର ଉପରାଜ୍ୟପାଳ କବିନ୍ଦର ଗୁପ୍ତାଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିବାବେଳେ, ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ଲଦାଖର ଉପରାଜ୍ୟପାଳ ଭାବେ ପଠାଯାଇଛି। ତରନଜିତ ସିଂହ ସାନ୍ଧୁଙ୍କୁ ଦିଲ୍ଲୀର ନୂଆ ଉପରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।ଏହି ସମସ୍ତ ନିଯୁକ୍ତି ସେମାନେ ନିଜ ନୂତନ ପଦର ଦାୟିତ୍ୱ ଗ୍ରହଣ କରିବା ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି।

