Mon. Apr 20th, 2026

ନ୍ୟୁଜ ଡେକ୍ସ : ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଓଡ଼ିଶାବାସୀ ସନ୍ତୁଳି ହେଉଥିବା ବେଳେ ଆଜି କିଛି ଅଞ୍ଚଳରେ ଆରାମ ମିଳିବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।ପାଣିପାଗ ବିଭାଗର ସୂଚନା ଅନୁସାରେ, ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର-ପଶ୍ଚିମ ଓଡ଼ିଶା ଉପରେ ରହିଛି।

ଏହି ଘୂର୍ଣ୍ଣିବଳୟ ମାଧ୍ୟମରେ ଏକ ଟ୍ରଫ୍ ଲାଇନ୍ ଉତ୍ତରପଶ୍ଚିମ ଓଡ଼ିଶାରୁ ଉତ୍ତରପଶ୍ଚିମ ମଧ୍ୟପ୍ରଦେଶ, ଉତ୍ତର ଛତିଶଗଡ଼ ଓ ଉତ୍ତରପୂର୍ବ ମଧ୍ୟପ୍ରଦେଶ ମଧ୍ୟରେ ଅତିକ୍ରମ କରୁଛି। ଏହାର ପ୍ରଭାବରେ ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି।ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେପଟେ ୮ ତାରିଖରେ ପବନର ବେଗ ଆହୁରି ବଢ଼ି ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ସେହିଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ଏହି ୪ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି।ମାର୍ଚ୍ଚ ଆରମ୍ଭରୁ ତାତିରେ ଅସହ୍ୟ ଅବସ୍ଥା ସୃଷ୍ଟି ହୋଇଥିବା ବେଳେ ଏହି ବର୍ଷା ଓ ପବନ କିଛି ପରିମାଣରେ ରାଜ୍ୟବାସୀଙ୍କୁ ଗରମରୁ ରାହାତ୍ ଦେଇପାରେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *