Mon. Apr 20th, 2026

ନ୍ୟୁଜ ଡେକ୍ସ : ପୁରୀ ରେଳ ଷ୍ଟେସନର ନବୀକରଣ କାମ ଜୋରଦାର ଭାବେ ଚାଲିଥିବାରୁ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ରେଳ ସେବା ପ୍ରଭାବିତ ହେବ। ଷ୍ଟେସନରେ ଟ୍ରାକ୍‌ ଉନ୍ନତିକରଣ ସହିତ ୭ ଓ ୮ ନମ୍ବର ପ୍ଲାଟଫର୍ମର ସୁଧାର କାମ କରାଯିବ। ଏହି କାମ ପାଇଁ ଆସନ୍ତା ୧୧ ତାରିଖରୁ ମେ ମାସ ୧୬ ତାରିଖ ପର୍ଯ୍ୟନ୍ତ ପୁରୀକୁ କୋଣସି ଟ୍ରେନ୍‌ ଆସିବ ନାହିଁ।

ଏହି ୬୫ ଦିନ ଅବଧିରେ ପୁରୀ ଷ୍ଟେସନରେ ଟ୍ରେନ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ଟ୍ରେନ୍‌ଗୁଡ଼ିକ ସାକ୍ଷୀଗୋପାଳ, ମାଳତିପାଟପୁର ଓ ବୀରହରେକୃଷ୍ଣପୁର ଷ୍ଟେସନ ପର୍ଯ୍ୟନ୍ତ ଆସିବ ଏବଂ ସେଠାରୁ ଛାଡ଼ିବ। ପୁରୀ ପର୍ଯ୍ୟନ୍ତ ଯାତ୍ରୀମାନଙ୍କ ଯାତାୟାତ ସୁବିଧା ପାଇଁ ବସ୍‌ ବ୍ୟବସ୍ଥା କରାଯିବ।ପୂର୍ବତଟ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ଟ୍ରେନ୍‌ ଆସିବା ଓ ଛାଡ଼ିବା ସମୟ ସହିତ ସମ୍ବନ୍ଧିତ ଷ୍ଟେସନ ବିଷୟରେ ରେଳବାଇ ଅନୁସନ୍ଧାନ ମାଧ୍ୟମରେ ସୂଚନା ନେବାକୁ ପରାମର୍ଶ ଦିଆଯାଇଛି। ସାକ୍ଷୀଗୋପାଳ ଷ୍ଟେସନ ପର୍ଯ୍ୟନ୍ତ ୭ଟି ଟ୍ରେନ୍‌ ଆସିବ ଓ ଛାଡ଼ିବ।

ସେଗୁଡ଼ିକ ହେଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ୍, ଗାନ୍ଧୀଧାମ–ପୁରୀ ଏକ୍ସପ୍ରେସ୍, କାମାକ୍ଷା–ପୁରୀ ଏକ୍ସପ୍ରେସ୍, ତିରୁପତି–ପୁରୀ ଏକ୍ସପ୍ରେସ୍, ଦୂରନ୍ତ ଏକ୍ସପ୍ରେସ୍, ଭାଲସାଡ୍–ପୁରୀ ଏକ୍ସପ୍ରେସ୍ ଓ ସମ୍ବଲପୁର ଇଣ୍ଟରସିଟି। ପୂର୍ବରୁ ଯେଉଁ ଦିନଗୁଡ଼ିକରେ ଏହି ଟ୍ରେନ୍‌ଗୁଡ଼ିକ ପୁରୀକୁ ଆସୁଥିଲା, ସେହି ଦିନରେ ସେମାନେ ଏବେ ସାକ୍ଷୀଗୋପାଳ ଷ୍ଟେସନରୁ ଛାଡ଼ିବେ।ଷ୍ଟେସନର ଆଧୁନିକୀକରଣ କାମ ଶେଷ ହେବା ପରେ ପୁରୀ ରେଳ ଷ୍ଟେସନରେ ଯାତ୍ରୀମାନେ ଆହୁରି ଉନ୍ନତ ସୁବିଧା ପାଇବେ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *