ନ୍ୟୁଜ ଡେକ୍ସ : ଝାରସୁଗୁଡ଼ା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଡକାୟତି ଘଟଣାରେ ସଂପୃକ୍ତ ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ଟଙ୍କା ସହ ବହୁ ପରିମାଣର ସୁନା ଓ ରୁପା ଅଳଙ୍କାର ଜବତ କରାଯାଇଛି।ଗତ ୨ ତାରିଖ ରାତିରେ ଝାରସୁଗୁଡ଼ା ଜିଲ୍ଲା ଲାଇକେରା ଥାନା ଅଞ୍ଚଳର ତାଲମୁଣ୍ଡା ଗାଁରେ ଏହି ଡକାୟତି ଘଟଣା ଘଟିଥିଲା।
ବିଳମ୍ବିତ ରାତିରେ ପ୍ରାୟ ୫ ଜଣ ମୁଖାପିନ୍ଧା ଡକାୟତ ବ୍ୟବସାୟୀ ପ୍ରକାଶ ନାୟକଙ୍କ ଘର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ପରିବାର ସଦସ୍ୟଙ୍କୁ ବନ୍ଧୁକ ଓ ଖଣ୍ଡା ଦେଖାଇ ଡକାୟତମାନେ ୭ ଲକ୍ଷ ଟଙ୍କା ନଗଦ ସହ ପ୍ରାୟ ୧୫ ଭରି ସୁନା ଗହଣା ଲୁଟି ନେଇଥିଲେ।ପ୍ରକାଶ ନାୟକ ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତାଙ୍କ କାନ୍ଧରେ ଗଭୀର ଆଘାତ ଲାଗିଥିଲା। ଘଟଣା ପରେ ଏହାକୁ ଗୁରୁତର ସହ ନେଇ ଝାରସୁଗୁଡ଼ା ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା।
ସିସିଟିଭି ଫୁଟେଜ୍ ଓ ସାଇବର ସେଲର ସହାୟତାରେ ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିଥିଲା। ସେମାନଙ୍କ ନିକଟରୁ ସୁନା ଚେନ୍, ମଙ୍ଗଳସୂତ୍ର, ମୁଦି, ଚୁଡ଼ି ସହ ରୁପା ଅଳଙ୍କାର ଜବତ କରାଯାଇଛି। ଏଥିସହ ନଗଦ ୧ ଲକ୍ଷ ୪୩ ହଜାର ୮୦୩ ଟଙ୍କା, ୮ଟି ମୋବାଇଲ୍ ଫୋନ୍ ଓ ଲୁଟରେ ବ୍ୟବହୃତ ଏକ ବୋଲେରୋ ଗାଡ଼ିକୁ ପୋଲିସ ଜବତ କରିଛି।ଏହି ମାମଲାରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ ସେନେଇ ପୋଲିସ ଅଧିକ ତଦନ୍ତ ଚାଲାଇଛି।

