Thu. Apr 16th, 2026

ନ୍ୟୁଜ ଡେକ୍ସ : ଫଟାଫଟ କ୍ରିକେଟର ମହାକୁମ୍ଭ ଟି୨୦ ବିଶ୍ବକପର ମହା ମୁକାବିଲା ପାଇଁ ବିଶ୍ବର ସର୍ବବୃହତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ପ୍ରସ୍ତୁତ ହୋଇଛି। ଆଜି ଏହି ଷ୍ଟାଡିୟମରେ ଚଳିତ ପୁରୁଷ ଟି୨୦ ବିଶ୍ବକପର ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ମହା ମୁକାବିଲାରେ ଆୟୋଜକ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ସମ୍ମୁଖୀନ ହେବେ।ଫାଇନାଲକୁ ନେଇ ଉଭୟ ଦଳ ଅଭ୍ୟାସ ସହ ରଣନୀତି ପ୍ରସ୍ତୁତ କରିସାରିଛନ୍ତି।

ଏହି ମ୍ୟାଚ୍‌କୁ ନେଇ ସାରା ବିଶ୍ବର କ୍ରିକେଟ ପ୍ରେମୀମାନଙ୍କ ମଧ୍ୟରେ ଭାରୀ ଉତ୍ସାହ ଦେଖାଯାଉଛି। ଉଭୟ ଦଳ କ୍ରିକେଟ ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଲେଖିବା ପାଇଁ ପ୍ରୟାସ କରିବେ।୨୦୦୭ ଓ ୨୦୨୪ର ଚମ୍ପିଆନ ଭାରତ ଚତୁର୍ଥ ଥର ପାଇଁ ଟି୨୦ ବିଶ୍ବକପ ଫାଇନାଲ ଖେଳିବାକୁ ଯାଉଛି। ଗତଥରର ବିଜେତା ଭାରତ ଏଥର ମଧ୍ୟ ଟ୍ରଫି ଜିତି କ୍ରମାଗତ ଦ୍ବିତୀୟ ଥର ପାଇଁ ଚମ୍ପିଆନ ହେବା ସହ ସର୍ବାଧିକ ତୃତୀୟ ଟ୍ରଫି ଜିତିବା ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଦ୍ବିତୀୟ ଥର ପାଇଁ ଫାଇନାଲ ଖେଳୁଥିବା ନ୍ୟୁଜିଲାଣ୍ଡ ଏଥର ପ୍ରଥମ ଟି୨୦ ବିଶ୍ବକପ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି। ଉଭୟ ଦଳ ପ୍ରଥମ ଥର ପାଇଁ ଟି୨୦ ବିଶ୍ବକପ ଫାଇନାଲରେ ମୁହାଁମୁହିଁ ହେବେ। ଟି୨୦ ବିଶ୍ବକପ ଇତିହାସକୁ ଦେଖିଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଖେଳିଥିବା ୩ଟି ମ୍ୟାଚରେ ପରାଜିତ ହୋଇଛି। କିନ୍ତୁ ୨୦୨୬ର ପ୍ରଦର୍ଶନ ଦେଖିଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୫ଟି ମ୍ୟାଚରୁ ୪ଟିରେ ବିଜୟ ହାସଲ କରିଛି।

ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ଲିଗ୍‌ ପର୍ଯ୍ୟାୟରେ ଆମେରିକା, ପାକିସ୍ତାନ, ନାମିବିଆ ଓ ନେଦରଲାଣ୍ଡ୍‌ସକୁ ପରାସ୍ତ କରି ଅପରାଜୟ ରହି ସୁପର ଏଇଟ୍‌ସକୁ ପହଞ୍ଚିଥିଲା। ସୁପର ଏଇଟ୍‌ସର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହେଲେ ମଧ୍ୟ ପରବର୍ତ୍ତୀ ମ୍ୟାଚଗୁଡିକରେ ଦୃଢ ପ୍ରତ୍ୟାବର୍ତ୍ତନ କରି ଜିମ୍ବାୱେ ଓ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଥିଲା। ସେମିଫାଇନାଲରେ ଶକ୍ତିଶାଳୀ ଇଂଲଣ୍ଡକୁ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି।ବ୍ୟାଟିଂ ବିଭାଗରେ ସଞ୍ଜୁ ସାମସନ, ଈଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ଶିଭମ ଦୁବେ ଓ ହାର୍ଦିକ ପାଣ୍ଡ୍ୟା ଭଲ ଫର୍ମରେ ରହିଛନ୍ତି। ତେବେ ଅଭିଷେକ ଶର୍ମାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ ହୋଇଛି।

ବୋଲିଂ ବିଭାଗରେ ଯଶପ୍ରୀତ ବୁମ୍ରା ଭାରତର ମୁଖ୍ୟ ଅସ୍ତ୍ର ଥିବାବେଳେ ଅର୍ଶଦୀପ ସିଂହ, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ଅନ୍ୟପକ୍ଷରେ ମିଚେଲ ସାଣ୍ଟନରଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଦଳ ଲିଗ୍‌ ଓ ସୁପର ଏଇଟ୍‌ସରେ ଅସ୍ଥିର ପ୍ରଦର୍ଶନ କରିଥିଲେ ମଧ୍ୟ ସେମିଫାଇନାଲରେ ଚମତ୍କାର ଖେଳ ଦେଖାଇ ଫାଇନାଲରେ ପହଞ୍ଚିଛି। ସେମିଫାଇନାଲରେ ଦଳ ଅପରାଜୟ ଥିବା ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରିଥିଲା। ଏହି ମ୍ୟାଚରେ ଫିନ ଆଲେନଙ୍କ ୩୩ ବଲରୁ ୧୦୦ ରନର ଧୁଆଁଧାର ଇନିଂସ୍‌ ଦଳର ଆତ୍ମବିଶ୍ୱାସ ବଢ଼ାଇଛି।ଟିମ୍‌ ସୈଫର୍ଟ, ଡାରେଲ ମିଚେଲ, ରଚିନ ରବୀନ୍ଦ୍ର ଓ ଗ୍ଲେନ ଫିଲିପ୍ସ ମଧ୍ୟ ଦଳର ଶକ୍ତିଶାଳୀ ବ୍ୟାଟ୍‌ସମ୍ୟାନ। ବୋଲିଂ ବିଭାଗରେ ସାଣ୍ଟନର ଓ ରଚିନ ରବୀନ୍ଦ୍ରଙ୍କ ସ୍ପିନ ସହ କାଏଲ ଜେମିସନ ଓ ମ୍ୟାଟ୍‌ ହେନରୀଙ୍କ ଫାଷ୍ଟ ବୋଲିଂ ଦଳର ମୁଖ୍ୟ ଅସ୍ତ୍ର।

୨୦୨୩ ଦିନିକିଆ ବିଶ୍ବକପ ଫାଇନାଲରେ ଅହମ୍ମଦାବାଦରେ ଭାରତ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା, ଯାହା ୧୫୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିଲା। ସେହି ପରାଜୟର କ୍ଷତକୁ ଭରଣ କରିବା ପାଇଁ ଏଥର ଭାରତ ନିକଟରେ ବଡ଼ ସୁଯୋଗ ରହିଛି।ଫାଇନାଲ ମ୍ୟାଚ୍‌ରେ ଉଭୟ ଦଳର ଭାବାବେଗ ଜଡିତ ଥିବାରୁ ଏହା ଏକ ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ମୁକାବିଲା ହେବା ନେଇ କ୍ରିକେଟ ପ୍ରେମୀମାନେ ଆଶା କରୁଛନ୍ତି।

Leave a Reply

Your email address will not be published. Required fields are marked *