ନ୍ୟୁଜ ଡେକ୍ସ : ସଞ୍ଜୁ ସାମସନ, ଅଭିଷେକ ଶର୍ମା ଓ ଈଶାନ କିଶାନଙ୍କ ବିସ୍ଫୋରକ ବ୍ୟାଟିଂ ସହିତ ଯଶପ୍ରୀତ ବୁମରାହ ଓ ଅକ୍ଷର ପଟେଲଙ୍କ ଆକର୍ଷଣୀୟ ବୋଲିଂ ଦ୍ୱାରା ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେ ପରାସ୍ତ କରି ତୃତୀୟ ଥର ପାଇଁ ଟି୨୦ ବିଶ୍ୱକପ୍ ଟାଇଟଲ ହାସଲ କରିଛି। ଏହି ବିଜୟ ସହିତ ଭାରତ ଆୟୋଜକ ଦେଶ ଭାବେ ଚାମ୍ପିୟନ ହେବା ସହ କ୍ରମାଗତ ଭାବେ ଟାଇଟଲ ଜିତି ସମାଲୋଚକଙ୍କୁ ଜବାବ ଦେଇଛି।
ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ବିଜୟ ଧ୍ୱଜା ଉଡାଇଥିଲା।୨୫୬ ରନର ବଡ଼ ଲକ୍ଷ୍ୟକୁ ପିଛା କରିବାକୁ ନାମିଥିବା ନ୍ୟୁଜିଲାଣ୍ଡ ଦଳ ଭାରତୀୟ ବୋଲରଙ୍କ ଆଗରେ ଟିକି ପାରିନଥିଲା। ଦଳ ୧୯ ଓଭରରେ ୧୫୯ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଟିମ୍ ସେଇଫର୍ଟ ୫୨ ରନ ଓ ମିଚେଲ ସାଂଟେନର ୪୩ ରନ କରି କିଛିଟା ସଂଘର୍ଷ କରିଥିଲେ। କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଚାପରେ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇପାରିନଥିଲେ।ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ସର୍ବାଧିକ ୪ଟି ୱିକେଟ ନେଇଥିଲେ। ଅକ୍ଷର ପଟେଲ ୩ଟି ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ ଓ ଅଭିଷେକ ଶର୍ମା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ। ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଆକ୍ରମକ ବ୍ୟାଟିଂରେ ୫ ୱିକେଟ ବିନିମୟରେ ୨୫୫ ରନ କରିଥିଲା।
ଜବରଦସ୍ତ ଫର୍ମରେ ଥିବା ସଞ୍ଜୁ ସାମସନ ୪୬ ବଲରେ ୫ ଚୌକା ଓ ୮ ଛକା ସହ ୮୯ ରନର ଚମତ୍କାର ଇନିଂସ ଖେଳିଥିଲେ। ଅଭିଷେକ ଶର୍ମା ମଧ୍ୟ ଦମଦାର ପ୍ରଦର୍ଶନ କରି ୨୧ ବଲରୁ ୫୨ ରନ କରିଥିଲେ। ଏହାପରେ ଈଶାନ କିଶାନ ୨୫ ବଲରୁ ୫୪ ରନ କରି ଦଳର ସ୍କୋରକୁ ଆହୁରି ବଢ଼ାଇଥିଲେ।ତେବେ ଏହା ପରେ ଦଳ ହଠାତ୍ ତିନୋଟି ୱିକେଟ ହରାଇଥିଲା। ସଞ୍ଜୁ ସାମସନ, ଈଶାନ କିଶାନ ଓ ସୂର୍ଯ୍ୟକୁମାର ଯାଦବ ପ୍ୟାଭିଲିୟନକୁ ଫେରିଯାଇଥିଲେ।
ସୂର୍ଯ୍ୟକୁମାର ଯାଦବ ଖାତା ମଧ୍ୟ ଖୋଲିପାରିନଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ କରି ଆଉଟ ହୋଇଥିବା ବେଳେ ତିଳକ ବର୍ମା ୮ ରନ ଓ ଶିବମ ଦୁବେ ୮ ବଲରେ ୨୬ ରନ କରି ଅପରାଜିତ ରହିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଜେମ୍ସ ନୀଶମ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ରଚୀନ ରବୀନ୍ଦ୍ର ଓ ମ୍ୟାଟ୍ ହେନେରୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଶେଷରେ ଭାରତ ସମସ୍ତ କ୍ଷେତ୍ରରେ ଶୃଙ୍ଖଳିତ ପ୍ରଦର୍ଶନ କରି ଦମଦାର ବିଜୟ ସହ ଟି୨୦ ବିଶ୍ୱକପ୍ ଟାଇଟଲ ଜିତିଥିଲା।

