ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବରେ ସୋମବାର ଭାରତୀୟ ଶେୟାର ବଜାରରେ ଭୟଙ୍କର ପତନ ଦେଖାଦେଇଛି। ବଜାର ଖୋଲିବା ମାତ୍ରେ ଦଲାଲ ଷ୍ଟ୍ରିଟରେ ରକ୍ତସ୍ନାନ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ନିବେଶକମାନେ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।ସୋମବାର ୯ ମାର୍ଚ୍ଚ ୨୦୨୬ରେ ବଜାର ଖୋଲିବା ସହିତ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୨୪୯୪ ପଏଣ୍ଟ ହ୍ରାସ ପାଇଥିଲା।
ଏହା ସହିତ ନିଫ୍ଟି-୫୦ରେ ମଧ୍ୟ ଭୟଙ୍କର ପତନ ଦେଖାଦେଇ ୭୯୨ ପଏଣ୍ଟ ହ୍ରାସ ହୋଇଥିଲା। ସକାଳ ୯ଟା ୨୨ ମିନିଟ ସୁଦ୍ଧା ସେନସେକ୍ସ ୨୩୩୩ ପଏଣ୍ଟ କମି ୭୬,୫୮୫ରେ ପହଞ୍ଚିଥିବା ବେଳେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୬୮୬ ପଏଣ୍ଟ ହ୍ରାସ ପାଇ ୨୩,୭୬୪ରେ ପହଞ୍ଚିଥିଲା।ବଜାର ଆରମ୍ଭ ସମୟରେ ନିବେଶକମାନେ ପ୍ରାୟ ୧୨.୭୮ ଟ୍ରିଲିୟନ ଟଙ୍କାର କ୍ଷତି ଭୋଗିଛନ୍ତି। ବଜାରରେ ଏହି ଅଚାନକ ପତନ ନିବେଶକଙ୍କ ମଧ୍ୟରେ ଭୟ ଓ ଅସ୍ଥିରତା ସୃଷ୍ଟି କରିଛି। ମିଡକ୍ୟାପ୍ ଏବଂ ସ୍ମଲକ୍ୟାପ୍ ସୂଚକାଙ୍କ ମଧ୍ୟ ଏହି ପତନରୁ ବଞ୍ଚି ପାରିନାହିଁ। ମିଡକ୍ୟାପ୍ ସୂଚକାଙ୍କ ୩.୨୮ ପ୍ରତିଶତ ଏବଂ ସ୍ମଲକ୍ୟାପ୍ ସୂଚକାଙ୍କ ୩.୩୭ ପ୍ରତିଶତ ହ୍ରାସ ପାଇଛି। ବିଶେଷଜ୍ଞମାନଙ୍କ ମତାନୁସାରେ, ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପ୍ରତି ପ୍ରାୟ ୧୧୦ ଡଲାର ପହଞ୍ଚିବା ଏହି ପତନର ମୁଖ୍ୟ କାରଣ। ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ସଂଘର୍ଷ ହର୍ମୁଜ୍ ପ୍ରଣାଳୀ ଦେଇ ତୈଳ ଯୋଗାଣକୁ ବାଧାପ୍ରାପ୍ତ କରିଥିବାରୁ ବିଶ୍ୱ ବଜାରରେ ତୈଳ ମୂଲ୍ୟ ବଢ଼ିଛି।
ଏହି ପରିସ୍ଥିତିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେଲ ମୂଲ୍ୟ ବୃଦ୍ଧିକୁ ସମର୍ଥନ କରି କହିଛନ୍ତି ଯେ ଏହା ଇରାନର ପରମାଣୁ ବିପଦକୁ ସମାଧାନ କରିବା ପାଇଁ ଏକ ଅସ୍ଥାୟୀ ଖର୍ଚ୍ଚ।ବଜାରରେ ପ୍ରାୟ ସମସ୍ତ କ୍ଷେତ୍ରରେ ବ୍ୟାପକ ବିକ୍ରୟ ଦେଖାଯାଇଥିଲା। ସରକାରୀ ବ୍ୟାଙ୍କ କ୍ଷେତ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇ ୫.୩୨ ପ୍ରତିଶତ ହ୍ରାସ ପାଇଥିଲା। ଏହା ସହିତ ଅଟୋ, ଧାତୁ ଓ ଘରୋଇ ବ୍ୟାଙ୍କ ସୂଚକାଙ୍କ ମଧ୍ୟ ୩ ପ୍ରତିଶତରୁ ଅଧିକ ହ୍ରାସ ପାଇଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଅଶୋଧିତ ତୈଳ ମୂଲ୍ୟ ସ୍ଥିର ହେଉନାହିଁ, ସେପର୍ଯ୍ୟନ୍ତ ଷ୍ଟକ୍ ବଜାରରେ ଅସ୍ଥିରତା ଜାରି ରହିପାରେ।

