Mon. Apr 20th, 2026

ନ୍ୟୁଜ ଡେକ୍ସ : ଆନ୍ତର୍ଜାତୀୟ ଯୁଦ୍ଧ ପରିସ୍ଥିତିର ପ୍ରଭାବରେ ଜାଳେଣି ଗ୍ୟାସ୍ ଯୋଗାଣ ନେଇ ଦେଶବ୍ୟାପୀ ଚିନ୍ତା ଦେଖାଦେଇଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସତର୍କ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସରକାରୀ ସ୍ତରରେ ଘନଘନ ବୈଠକ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୈଳମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ଉପରେ ଆଲୋଚନା କରିଛନ୍ତି।

ଦେଶରେ ଏଲ୍ପିଜି କଳାବଜାରୀ ଓ ମହଜୁଦକୁ ରୋକିବା ପାଇଁ କେନ୍ଦ୍ର ସରକାର ଗ୍ୟାସ୍ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଲାଗୁ କରିଛନ୍ତି। ଘରୋଇ ବ୍ୟବହାର ସହିତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ ଗ୍ୟାସ୍ ସିଲିଣ୍ଡର୍ ଯୋଗାଣ ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ତୈଳ ଓ ଗ୍ୟାସ୍ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।ଭୁବନେଶ୍ୱରରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ତୈଳ କମ୍ପାନିମାନଙ୍କ ରାଜ୍ୟ ମୁଖ୍ୟମାନଙ୍କ ସହ ଏକ ବୈଠକ ହୋଇଥିଲା। ବୈଠକରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିମାନେ ରାଜ୍ୟରେ ରନ୍ଧନ ଗ୍ୟାସ୍, ପେଟ୍ରୋଲ ଓ ଡିଜେଲର କୌଣସି ଅଭାବ ନଥିବା ସୂଚନା ଦେଇଥିଲେ। ଖାଉଟିମାନେ ସୁବିଧାରେ ରନ୍ଧନ ଗ୍ୟାସ୍ ଓ ଇନ୍ଧନ ତୈଳ ପାଇ ପାରିବେ ବୋଲି ସେମାନେ ଅବଗତ କରିଥିଲେ। ରାଜ୍ୟରେ ଯଥେଷ୍ଟ ପରିମାଣର ଏଲ୍ପିଜି ମହଜୁଦ ଥିବାରୁ ଲୋକମାନେ ଅନାବଶ୍ୟକ ଭାବେ ଚିନ୍ତିତ ନ ହେବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି।

ତୈଳ ଓ ଗ୍ୟାସ୍ ସମ୍ପର୍କରେ ନିୟମିତ ସୂଚନା ପ୍ରଦାନ କରିବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ତୈଳ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିଦିନ ତୈଳ ଓ ଗ୍ୟାସ୍ ମହଜୁଦ ସମ୍ପର୍କରେ ଏକ ରିପୋର୍ଟ ଖାଦ୍ୟ ଯୋଗାଣ ବିଭାଗକୁ ଦେବାକୁ କମ୍ପାନିମାନଙ୍କୁ କୁହାଯାଇଛି।ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ କହିଛନ୍ତି ଯେ ରାଷ୍ଟ୍ରାୟତ୍ତ କମ୍ପାନିମାନେ ପ୍ରତିଦିନ ଏଲ୍ପିଜି ଷ୍ଟକ୍ ସମ୍ପର୍କରେ ସରକାରଙ୍କୁ ରିପୋର୍ଟ ଦେବେ। ଘରୋଇ ଏଲ୍ପିଜିର କୌଣସି ଅଭାବ ନଥିବା ବେଳେ ବୁକିଂ ମଧ୍ୟ ସାଧାରଣ ଭାବରେ ଚାଲିଛି। ଯଦି କୌଣସି ସମସ୍ୟା ହୁଏ, ତେବେ ସରକାରଙ୍କ ଦୃଷ୍ଟିକୁ ଆଣିବାକୁ ସେ ଅନୁରୋଧ କରିଛନ୍ତି।ଘରୋଇ ଏଲ୍ପିଜି ଯୋଗାଣ ସ୍ବାଭାବିକ ରଖିବାକୁ ସରକାର ପ୍ରାଥମିକତା ଦେଇଥିବା ବେଳେ ବାଣିଜ୍ୟିକ ଓ ଶିଳ୍ପ କ୍ଷେତ୍ରକୁ ଗ୍ୟାସ୍ ଯୋଗାଣ ସମୀକ୍ଷା ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି।

ତିନିଟି ସରକାରୀ ତେଲ କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏହି କମିଟିରେ ଅନ୍ତର୍ଭୁକ୍ତ ଅଛନ୍ତି। ଆବଶ୍ୟକ କ୍ଷେତ୍ରଗୁଡ଼ିକ ସେମାନଙ୍କ ଅନୁରୋଧ ନିର୍ଦ୍ଧାରିତ ଇ-ମେଲ୍ ମାଧ୍ୟମରେ କମିଟିକୁ ପ୍ରଦାନ କରିପାରିବେ। ସରକାରଙ୍କ ନିର୍ଦ୍ଦେଶ ପରେ ଦେଶର ତୈଳ ବିଶୋଧନ କମ୍ପାନିମାନେ ଏଲ୍ପିଜି ଉତ୍ପାଦନ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ସମ୍ଭାବ୍ୟ ଅଭାବ ପରିସ୍ଥିତିକୁ ଟାଳିବା ସମ୍ଭବ ହୋଇଛି। ଦେଶରେ ଏଲ୍ପିଜି ଅଭାବ ଥିବା ଖବରକୁ ସରକାର ଅସ୍ୱୀକାର କରିଥିବା ବେଳେ ମହଜୁଦ ଓ କଳାବଜାରୀ ରୋକିବା ପାଇଁ ଅତିରିକ୍ତ ପ୍ରଶାସନିକ ପଦକ୍ଷେପ ନିଆଯାଇଛି।ଏହା ସହିତ ଏଲ୍ପିଜି ବୁକିଂ ଅବଧିକୁ ୨୧ ଦିନରୁ ୨୫ ଦିନକୁ ବଢ଼ାଇ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଗୁଜବକୁ ବିଶ୍ୱାସ ନକରିବାକୁ ସରକାର ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *