Mon. Apr 20th, 2026

ନ୍ୟୁଜ ଡେକ୍ସ : କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳର ନୂଆଗାଁସ୍ଥିତ ସାଇ ହସ୍ପିଟାଲ୍ରେ ଜଣେ ରୋଗୀଙ୍କର ଚିକିତ୍ସା ଅବହେଳା ଯୋଗୁ ମୃତ୍ୟୁ ଘଟିଥିବା ଅଭିଯୋଗକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଗ୍ରାମବାସୀ ହସ୍ପିଟାଲ୍ରେ ଭଙ୍ଗାରୁଜା କରିବା ସହ ଅଗ୍ନିସଂଯୋଗ କରିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ ମଧ୍ୟ କରିଛନ୍ତି।

ଅଭିଯୋଗ ଅନୁସାରେ, ସୋମବାର ଦିନ ଜଲାରପୁର ଗ୍ରାମର ଜ୍ୟୋତିରଞ୍ଜନ ବାରିକଙ୍କ ସ୍ତ୍ରୀ ଚନ୍ଦ୍ରକାନ୍ତା ବାରିକ (୩୨)ଙ୍କୁ ଗଲ୍ ବ୍ଲାଡର୍ ଷ୍ଟୋନ୍ ଅପରେସନ୍ ପାଇଁ ସାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ଅସ୍ତ୍ରୋପଚାର ପରେ ତାଙ୍କ ଅବସ୍ଥା ହଠାତ୍ ଗୁରୁତର ହୋଇପଡ଼ିଥିଲା। ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା।ନିଆଳିର ଘରୋଇ ହସ୍ପିଟାଲ୍ର ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଗ୍ରାମବାସୀମାନେ ଆଜି ମୃତଦେହକୁ ଧରି ସାଇ ହସ୍ପିଟାଲ୍ରେ ପହଞ୍ଚିଥିଲେ।

ସେମାନେ ହସ୍ପିଟାଲ୍ ସାମ୍ନାରେ ମୃତଦେହ ରଖି ତୀବ୍ର ପ୍ରତିବାଦ କରିଥିଲେ। ପରେ ଉତ୍ତ୍ୟକ୍ତ ଲୋକମାନେ ହସ୍ପିଟାଲ୍ର ଡିଜି ସେଟ୍ ସହ ଅନ୍ୟାନ୍ୟ ସାମଗ୍ରୀରେ ନିଆଁ ଲଗାଇଦେବା ସହ ଭଙ୍ଗାରୁଜା କରିଥିଲେ। ଖବର ପାଇ ନିଆଳି ପୁଲିସ ଓ ନିଆଳି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକମାନେ ଫୁଲନଖରା-ନିଆଳି ୬୦ ନମ୍ବର ରାଜ୍ୟ ରାଜପଥର କଲେଜ ଛକ ନିକଟରେ ରାସ୍ତାରୋକ କରିଥିଲେ। ଫଳରେ ସେଠାରେ ଯାତାୟାତ ବ୍ୟବସ୍ଥା ବିଘ୍ନିତ ହୋଇଥିଲା।ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଥିବା ବେଳେ ପୁଲିସ ଘଟଣାସ୍ଥଳରେ ରହି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଛି। ଘଟଣାକୁ ନେଇ ଅଞ୍ଚଳରେ ତଣାତଣି ପରିସ୍ଥିତି ଦେଖାଦେଇଛି।

Leave a Reply

Your email address will not be published. Required fields are marked *