ନ୍ୟୁଜ ଡେକ୍ସ : ଧାନ କ୍ୱିଣ୍ଟାଲ ପିଛା ବୋନସ୍ ପ୍ରସଙ୍ଗକୁ ନେଇ ବୁଧବାର ବିଧାନସଭାରେ ତୀବ୍ର ତର୍କ ଦେଖାଦେଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ବିଜେପି ସରକାରକୁ କଟାକ୍ଷ କରି ଅନେକ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଜେପି ପ୍ରଚାର କରୁଥିଲା ଯେ ନବୀନ ପଟ୍ଟନାୟକ ସୋହେଲାରେ ଧାନ କ୍ୱିଣ୍ଟାଲ ପିଛା ଏମ୍ଏସ୍ପି ଉପରେ ୧୦୦ ଟଙ୍କା ବୋନସ୍ ଦେବାକୁ ଘୋଷଣା କରିଥିଲେ କିନ୍ତୁ ଦେଇନଥିଲେ।
ଗତ ୨୦ ମାସ ଧରି ବିଧାନସଭାରେ ବିଜେପି ବିଧାୟକମାନେ ବାରମ୍ବାର ଏହି କଥା ଉଠାଇ ବିଜେଡିକୁ ଛିଗୁଳାଉଥିଲେ। ତେବେ ସେତେବେଳେ ବିଜେଡି ନେତାମାନେ ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିଲେ। ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ, ବିଜେଡି ସରକାର ଧାନ ଉପରେ ୧୦୦ ଟଙ୍କା ବୋନସ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି ଆସିଥିଲା ଯେ ଏମ୍ଏସ୍ପି ଉପରେ ଅତିରିକ୍ତ ସହାୟତା ଦିଆଯାଇପାରିବ ନାହିଁ। ଯଦି ଏଭଳି ସହାୟତା ଦିଆଯାଏ, ତେବେ ଏଫ୍ସିଆଇ ଓଡିଶାରୁ ଧାନ ଉଠାଇବ ନାହିଁ। ସେ କହିଥିଲେ, ସେତେବେଳେ କେନ୍ଦ୍ର ଏହାକୁ ମନା କରିଥିଲେ, ଏବେ ସେହିପରି ଚିଠି କେରଳ ସରକାରଙ୍କୁ ମଧ୍ୟ ଦିଆଯାଇଛି। କିନ୍ତୁ ବର୍ତ୍ତମାନ ରାଜ୍ୟରେ ୮୦୦ ଟଙ୍କା ଇନପୁଟ୍ ସବସିଡି ଦିଆଯାଉଥିବା ବେଳେ କେନ୍ଦ୍ର ସରକାର କାହିଁକି ଏହାକୁ ମନା କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ଏହା ସହିତ ସେ ସେତେବେଳର କେନ୍ଦ୍ରର ଚିଠିକୁ ବି ସଦନରେ ଦେଖାଇଥିଲେ।
ଏହାସହିତ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ ଛତିଶଗଡ଼ ସରକାର ୨୦୨୫-୨୬ ବର୍ଷ ପାଇଁ ୧୩୩.୦୮ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବାକୁ ଟାର୍ଗେଟ୍ ଧରିଥିଲେ, କିନ୍ତୁ ଏବେ ସୁଦ୍ଧା ୧୪୦.୫୦ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିସାରିଛନ୍ତି। ଯଦି ଛତିଶଗଡ଼ର ବିଜେପି ସରକାର ଟାର୍ଗେଟ୍ ଠାରୁ ଅଧିକ ଧାନ କିଣିପାରୁଛି, ତେବେ ଓଡିଶାରେ ଟାର୍ଗେଟ୍ ଅନୁଯାୟୀ କାହିଁକି ଧାନ କିଣାଯାଉନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଚାଷୀମାନଙ୍କୁ ରାଜରାସ୍ତାରେ ଧାରଣା ଦେବାକୁ ବାଧ୍ୟ କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ଏହା ଯୋଗାଣ ମନ୍ତ୍ରୀଙ୍କ ଅପାରଗତା କି ବିଭାଗୀୟ ଅଧିକାରୀଙ୍କ ଷଡଯନ୍ତ୍ର ତାହା ସ୍ପଷ୍ଟ କରାଯାଉ। ଏହା ସହିତ ସେ କେନ୍ଦ୍ର ସରକାରଙ୍କ ଫର୍ଟିଫାଏଡ୍ ଚାଉଳ କିଣିବାକୁ ମନା କରିବା ପ୍ରସଙ୍ଗ ଉଠାଇ କେନ୍ଦ୍ର ଓ ରାଜ୍ୟ ସରକାରକୁ ଟାର୍ଗେଟ୍ କରିଥିଲେ।ଏହି ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ପ୍ରତାପ ଦେବ କହିଥିଲେ ଯେ ବିଜେପି ସରକାର ସବ୍କା ସାଥ୍ ସବ୍କା ବିକାଶ ନୁହେଁ, ସବ୍କା ବିନାଶର ନୀତି ଅନୁସରଣ କରୁଛି। ଚାଷୀଙ୍କ ଧାନ ନକିଣି ସେମାନଙ୍କୁ ହଇରାଣ କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ। ଏଫ୍ସିଆଇର ୱେବସାଇଟ୍ ଅନୁସାରେ ଗୋଦାମରେ ୨୧ ପ୍ରତିଶତ ଜାଗା ଖାଲି ରହିଛି, କିନ୍ତୁ ମିଲରମାନେ ଧାନ ରଖିବାକୁ ଜାଗା ନଥିବା କହି ଧାନ କିଣୁନାହାନ୍ତି ବୋଲି ସେ କହିଥିଲେ।
ସେ ଆହୁରି କହିଥିଲେ ଯେ ରାଜ୍ୟପାଳଙ୍କ ଭାଷଣରେ ୯୦ ଲକ୍ଷ ମେଟ୍ରିକ ଟନ୍ ଫର୍ଟିଫାଏଡ୍ ଚାଉଳ ବଣ୍ଟନ କରାଯାଉଛି ବୋଲି କୁହାଯାଇଛି। କିନ୍ତୁ ଏପାଇଁ କୌଣସି ଟେଣ୍ଡର ହୋଇନଥିବା ସେ ଅଭିଯୋଗ କରିଥିଲେ। ଯଦି ଟେଣ୍ଡର ବିନା ଚାଉଳ ଦିଆଯାଉଛି, ତେବେ ଏଥିରେ ଦୁର୍ନୀତି ହେଉଥିବା ସନ୍ଦେହ ଥାଏ ବୋଲି ସେ କହିଥିଲେ। ଏହି ଆଲୋଚନାରେ ବିଜେଡି ବିଧାୟକ ଦିବ୍ୟ ଶଙ୍କର ମିଶ୍ର ମଧ୍ୟ ଭାଗ ନେଇ ଖର୍ଚ୍ଚ ଦାବିକୁ ବିରୋଧ କରିଥିଲେ।

