Thu. Apr 16th, 2026

ନ୍ୟୁଜ ଡେକ୍ସ : ଦେବଗଡ ଜିଲ୍ଲାରେ ଏକ ହୃଦୟବିଦାରକ ଓ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗ୍ରାମରେ ଘଟିଛି ଟ୍ରିପଲ୍ ମର୍ଡର। ଜଣେ ବ୍ୟକ୍ତି ହାତୁଡ଼ି ସାହାଯ୍ୟରେ ନିଜ ସ୍ତ୍ରୀ, ବୋହୂ ଓ ନାତୁଣୀଙ୍କୁ ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି କରିଛି।ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତଙ୍କ ନାମ ରମେଶ ଗରିଆ, ବୟସ୍ ପ୍ରାୟ ୫୨ ବର୍ଷ।

ସେ ଗତ ବିଳମ୍ବିତ ରାତିରେ କୌଣସି ପାରିବାରିକ କାରଣକୁ ନେଇ ଏହି ଭୟାବହ କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ରମେଶ ଏକ ହାତୁଡ଼ି ସାହାଯ୍ୟରେ ନିଜ ସ୍ତ୍ରୀ ଗୁଲଗରିଆ (୪୨), ବୋହୂ ଲିପି ମହାକୁଳ (୨୪) ଓ ନାତୁଣୀ ଇଶାନୀ ଗରିଆ (୪)ଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିବା କୁହାଯାଉଛି।ଘଟଣା ସମୟରେ ଘରେ ଅନ୍ୟ କେହି ନଥିବାରୁ ଏହି ଭୟାବହ ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ସକାଳେ ଘଟଣା ସମ୍ପର୍କରେ ପରିବାର ସଦସ୍ୟମାନେ ଓ ପଡ଼ୋଶୀମାନେ ଜାଣିବା ପରେ ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ପରେ ଅଭିଯୁକ୍ତଙ୍କ ପୁଅ କୁଣ୍ଢେଇଗୋଳା ଥାନାରେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ପୁଲିସ ପ୍ରମାଣ ସଂଗ୍ରହ କରୁଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଖୋଜାଖୋଜି ଜାରି ରଖିଛି।

ତେବେ ଘଟଣା ପରେ ରମେଶ ଗରିଆ ଫେରାର ହୋଇଯାଇଥିବା ଜଣାପଡ଼ିଛି।ଏହି ହତ୍ୟାକାଣ୍ଡ ପଛରେ କେଉଁ କାରଣ ରହିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ପାରିବାରିକ ବିବାଦ କିମ୍ବା ଅନ୍ୟ କୌଣସି କାରଣ ଏହାର ପଛରେ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି।ଏପରି ନିର୍ମମ ଘଟଣା ସମଗ୍ର ଦେବଗଡ ଜିଲ୍ଲା ସହ ରାଜ୍ୟରେ ମଧ୍ୟ ଗଭୀର ଚର୍ଚ୍ଚା ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏକେ ପରିବାରର ତିନିଜଣ ନିର୍ଦୋଷ ଲୋକଙ୍କ ଏପରି ନିର୍ମମ ହତ୍ୟା ଘଟଣା ସମାଜକୁ ଅସ୍ତବ୍ୟସ୍ତ କରିଦେଇଛି। ପୁଲିସ ତଦନ୍ତ ପରେ ଘଟଣାର ପୂରା ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *