Mon. Apr 20th, 2026

ନ୍ୟୁଜ ଡେକ୍ସ : ଗ୍ରୀଷ୍ମ ଆରମ୍ଭରୁ ଓଡ଼ିଶାରେ ତାତି ଅସହ୍ୟ ହେବାକୁ ଲାଗିଛି। କେବଳ ରାଜ୍ୟ କିମ୍ବା ଭାରତ ନୁହେଁ, ସାରା ବିଶ୍ୱରେ ତାପମାତ୍ରା ଚିନ୍ତାଜନକ ଭାବେ ବଢ଼ୁଥିବା ଦେଖାଯାଉଛି। ସକାଳ ୮ଟା ହେବା ପୂର୍ବରୁ ମଧ୍ୟ ଲୋକେ ଅସହ୍ୟ ତାତି ଅନୁଭବ କରୁଛନ୍ତି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ରାଜ୍ୟର ଅନେକ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ୍‌ ଛୁଇଁବା ସମ୍ଭାବନା ରହିଛି।

ବିଶେଷକରି ଝାରସୁଗୁଡା, ସୁନ୍ଦରଗଡ ଓ ସମ୍ବଲପୁର ଭଳି ସହରଗୁଡ଼ିକରେ ଏହି ସୀମା ଅତିକ୍ରମ କରିପାରେ ବୋଲି ଆକଳନ କରାଯାଇଛି। ସମଗ୍ର ଅଞ୍ଚଳରେ ଦିନର ତାପମାତ୍ରା ପ୍ରାୟ ୩ ଡିଗ୍ରୀ ସେଲସିଅସ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ମାର୍ଚ୍ଚ ୧୫ ତାରିଖରୁ ତାତି ଆହୁରି ଅସହ୍ୟ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ଖରା ଦିନରେ ଅଧିକ ତାପମାତ୍ରା କାରଣରୁ ଅନେକ ଲୋକ ଅଂଶୁଘାତର ଶିକାର ହେଉଥିବା ଦେଖାଯାଏ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବରୁ ସଜାଗ ହୋଇପଡ଼ିଛନ୍ତି। ବିଶେଷକରି ଖରାଦିନରେ ବିଦ୍ୟୁତ ସେବା ବ୍ୟାହାତ ନ ହେବାକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ସହିତ ଟ୍ୱିନ୍ ସିଟି ଏବଂ ୧୦ଟି ପୌରାଞ୍ଚଳ ପାଇଁ ହିଟୱେଭ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି। ସେହିପରି ଅନ୍ୟ ୩୧ଟି ପୌରାଞ୍ଚଳ ପାଇଁ ମଧ୍ୟ ଶୀଘ୍ର ସ୍ୱତନ୍ତ୍ର ହିଟୱେଭ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ। ଏହାସହ ରାଜ୍ୟ ଓ ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇ ଅବସ୍ଥା ଉପରେ ନଜର ରଖାଯାଉଛି।ଖରାର ପ୍ରଭାବକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସତର୍କ ରହିବା ସହିତ ଆବଶ୍ୟକ ସାବଧାନତା ଅବଲମ୍ବନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *