ନ୍ୟୁଜ ଡେକ୍ସ : ଗ୍ୟାସ ସଙ୍କଟ ଦେଖାଦେବା ପରେ କଟକ ଜିଲ୍ଲା ପ୍ରଶାସନ ସଚେତନ ହୋଇପଡ଼ିଛି। ସହରରେ ଗ୍ୟାସ ଷ୍ଟକିଷ୍ଟମାନଙ୍କ ଗୋଦାମରେ ଅଚମ୍କା ଯାଞ୍ଚ କରାଯାଇଛି। ଅଭିଯୋଗ ଆଧାରରେ ଗୋଟିଏ ସ୍ଥାନରେ ରେଡ କରି ରେକର୍ଡ ଯାଞ୍ଚ କରାଯାଇଥିବା ସୂଚନା ମିଳିଛି। ଯେଉଁମାନେ କଳା ବଜାରୀ କରୁଛନ୍ତି କିମ୍ବା ଗ୍ୟାସ ଠୁଳ କରୁଛନ୍ତି ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କଟକ ଜିଲ୍ଲାପାଳ ସତର୍କ କରିଛନ୍ତି।
ପ୍ରଶାସନ କହିଛି ଯେ ସ୍ୱାସ୍ଥ୍ୟ ଓ ଶିକ୍ଷା ଅନୁଷ୍ଠାନକୁ ଗ୍ୟାସ ଯୋଗାଣରେ ପ୍ରାଥମିକତା ଦିଆଯାଉଛି। ଆବଶ୍ୟକ ସ୍ଥଳରେ ସେହି ସଂସ୍ଥାଗୁଡ଼ିକୁ ଗ୍ୟାସ ଯୋଗାଇ ଦିଆଯାଉଛି। ବିଶେଷକରି ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ସାତ ଦିନର ଗ୍ୟାସ ଷ୍ଟକ ରଖାଯାଇଥିବା ସୂଚନା ମିଳିଛି। ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ ଥିବା ସହ କମର୍ସିଆଲ ଷ୍ଟକ ମଧ୍ୟ ମହଜୁଦ ରହିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।ଘରୋଇ ଗ୍ୟାସ ପାଇଁ କୌଣସି ବଡ଼ ସମସ୍ୟା ନଥିବା କୁହାଯାଉଥିବାବେଳେ ଶବଦାହ କେନ୍ଦ୍ରଗୁଡ଼ିକୁ ଗ୍ୟାସ ବ୍ୟବହାର ନକରି କାଠ କିମ୍ବା ବିଦ୍ୟୁତ ମାଧ୍ୟମରେ ଶବଦାହ କରିବାକୁ ପରାମର୍ଶ ଦିଆଯାଇଛି। ଏନେଇ କଟକ ମହାନଗର ନିଗମକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି। ଅନ୍ୟପଟେ ଏଲପିଜି ସିଲିଣ୍ଡର ପାଇଁ ଏଜେନ୍ସି ଆଗରେ ଗ୍ରାହକମାନଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି।
ଅନେକ ଗ୍ରାହକ ୨୦ରୁ ୨୫ ଦିନ ପୂର୍ବରୁ ଗ୍ୟାସ ବୁକ କରିଥିଲେ ମଧ୍ୟ ସମୟରେ ସିଲିଣ୍ଡର ମିଳୁନଥିବା ଅଭିଯୋଗ କରିଛନ୍ତି। ଭଦ୍ରକ ଓ ଆଖାପାଖ ଅଞ୍ଚଳରେ ପ୍ରାୟ ୩୩ ହଜାର ଏଲପିଜି ଉପଭୋକ୍ତା ଥିବାବେଳେ ପୂର୍ବରୁ ପ୍ରତି ମାସରେ ପ୍ରାୟ ୧୨ ହଜାର ସିଲିଣ୍ଡର ଯୋଗାଣ ହେଉଥିଲା।କିନ୍ତୁ ବର୍ତ୍ତମାନ ସେହି ସଂଖ୍ୟା କମି ପ୍ରାୟ ୮ ହଜାରକୁ ଆସିଥିବାରୁ ସମସ୍ୟା ଦେଖାଦେଇଛି। ଏହାର ପରିଣାମରେ ପୂର୍ବରୁ ବୁକିଂ କରିଥିଲେ ମଧ୍ୟ ଗ୍ରାହକମାନେ ସମୟରେ ସିଲିଣ୍ଡର ପାଉନଥିବାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସେପଟେ ଏକ ମାସର ବୁକିଂ ସମୟସୀମା ଓ OTP ଆଧାରିତ ଗ୍ୟାସ ବିତରଣ ପ୍ରଣାଳୀ କାରଣରୁ କିଛି ସାମାନ୍ୟ ସମସ୍ୟା ସୃଷ୍ଟି ହୋଇଥିବା ଗ୍ୟାସ ଏଜେନ୍ସି ପକ୍ଷରୁ କୁହାଯାଇଛି।

