Mon. Apr 20th, 2026

ନ୍ୟୁଜ ଡେକ୍ସ : ଅନୁଗୁଳ ଜିଲ୍ଲାରେ ପିଚୁ ବୋଝେଇ ଟ୍ୟାଙ୍କରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ବାଲିପଶି ଛକ ନିକଟରେ ୧୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ବାଲିପଶି ଘାଟିର ବୁଲାଣିରେ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ବେଳେ ପରେ ଗାଡ଼ିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।

ସୂଚନା ଅନୁସାରେ, ପାଲଲହଡ଼ା ଟାଉନ ଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଥିବା ବାଲିପଶି ଘାଟି ବୁଲାଣିରେ ଗୁରୁବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିଲା। ଏକ ପିଚୁ ବୋଝେଇ ଟ୍ୟାଙ୍କର ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିବା ପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ଆଗୁନ ଏତେ ଭୟଙ୍କର ରୂପ ନେଇଥିଲା ଯେ ଏହା ରାସ୍ତା ପାର୍ଶ୍ୱରେ ଥିବା ଜଙ୍ଗଲକୁ ମଧ୍ୟ ବ୍ୟାପିଯାଇଥିଲା।ଘଟଣାବେଳେ ଗାଡ଼ି ଭିତରେ ଥିବା ଡ୍ରାଇଭର ବାହାରି ପାରିନଥିବାରୁ ସେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଆଶଙ୍କା କରାଯାଉଛି। ଖବର ପାଇ ଖମାର ପୋଲିସ୍ ଓ ପାଲଲହଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିପରି କିଛି ଦିନ ପୂର୍ବରୁ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା। ଜଗମୋହନପୁର ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଜନସନପୁର ଟୋଲ ଗେଟଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଏକ ଟ୍ରେଲରରେ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ତେଲକୋଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ତେବେ ସେହି ଘଟଣାରେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ଓ ଚାଳକ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *