Mon. Apr 20th, 2026

ନ୍ୟୁଜ ଡେକ୍ସ : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ ଆଦିବାସୀ, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗର ଶିକ୍ଷା, ଜୀବିକା ଓ ସାମାଜିକ ଉନ୍ନତିକୁ ଲକ୍ଷ୍ୟରେ ରଖି ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି।

ଏହି ବର୍ଷ ବିଭାଗ ପାଇଁ ସର୍ବମୋଟ ୬୬୪୯ କୋଟି ୩୩ ଲକ୍ଷ ୧୨ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିରେ ପ୍ରାୟ ୫୪୦୦ କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ ଓ ୧୨୪୯ କୋଟିରୁ ଅଧିକ ପ୍ରଶାସନିକ ବ୍ୟୟ ଅନ୍ତର୍ଭୁକ୍ତ ଅଛି। ଗତ ବର୍ଷର ବଜେଟ୍ ତୁଳନାରେ ଏହା ପ୍ରାୟ ୩ ପ୍ରତିଶତ ବୃଦ୍ଧି ପାଇଛି। କାର୍ଯ୍ୟକ୍ରମ ବ୍ୟୟରୁ ୩୬୧୦ କୋଟି ଟଙ୍କା ରାଜ୍ୟ ସ୍ତରୀୟ ଯୋଜନା, ୧୯୦ କୋଟି ଟଙ୍କା କେନ୍ଦ୍ରୀୟ ଯୋଜନା ଓ ୧୬୦୦ କୋଟି ଟଙ୍କା କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ବରାଦ କରାଯାଇଛି। ଏହି ଯୋଜନାଗୁଡ଼ିକ ମୁଖ୍ୟତଃ ଶିକ୍ଷା, ଆଦିବାସୀ ଓ ଅନୁସୂଚିତ ଜାତିଙ୍କ କଲ୍ୟାଣ ସହିତ ସଂଖ୍ୟାଲଘୁ ଓ ପଛୁଆ ବର୍ଗର ସାମାଜିକ ଓ ଆର୍ଥିକ ଉନ୍ନତିକୁ ଲକ୍ଷ୍ୟ କରି ପ୍ରସ୍ତୁତ କରାଯାଇଛି।

ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ପ୍ରାୟ ୨୩ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ପାଇଁ ୨୦୯୪ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି।ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଓ କେନ୍ଦ୍ରୀୟ ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ ଲାଭ ପାଇବେ। ପ୍ରାକ୍‌-ମାଟ୍ରିକ୍‌ ଛାତ୍ରବୃତ୍ତିର ରାଶି ବୃଦ୍ଧି କରାଯାଇ ଖାଦ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ପାଇଁ ଅଧିକ ସହାୟତା ଦିଆଯାଉଛି।ବର୍ତ୍ତମାନ ରାଜ୍ୟରେ ଆଦିବାସୀ ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୧୭୬୫ଟି ବିଦ୍ୟାଳୟ କାର୍ଯ୍ୟ କରୁଛି। ସେଥିରୁ ୧୬୧୫ଟି ଆବାସିକ ଓ ୧୫୦ଟି ଅଣଆବାସିକ ବିଦ୍ୟାଳୟ ଅଟେ। ଏହି ବିଦ୍ୟାଳୟଗୁଡ଼ିକରେ ପ୍ରାୟ ୪ ଲକ୍ଷ ୩୮ ହଜାର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।

ସେହିପରି ରାଜ୍ୟରେ ମୋଟ ୫୯୬୭ଟି ଛାତ୍ରାବାସ ଚାଲୁ ଅଛି ଯେଉଁଠାରେ ପ୍ରାୟ ୫ ଲକ୍ଷ ୫୨ ହଜାର ଛାତ୍ରଛାତ୍ରୀ ରହି ପଢ଼ୁଛନ୍ତି। ଛାତ୍ରଛାତ୍ରୀଙ୍କ ଖାଦ୍ୟ, ପାଠ୍ୟ ଉପକରଣ ଓ ଅନ୍ୟାନ୍ୟ ସୁବିଧା ପାଇଁ ବଜେଟରେ ଅତିରିକ୍ତ ଅର୍ଥ ବରାଦ କରାଯାଇଛି। ଡ୍ରପ୍‌ଆଉଟ୍‌ ହାର କମେଇବା ପାଇଁ ସରକାର ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ଅଧୀନରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେଉଛନ୍ତି। ଏହି ଯୋଜନା ପାଇଁ ବଜେଟରେ ୧୫୪ କୋଟି ଟଙ୍କା ବରାଦ କରାଯାଇଛି।

ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଅନ୍ୱେଷା ଯୋଜନା ଅଧୀନରେ ୧୭ଟି ଜିଲ୍ଲାର ୧୬୩ଟି ବେସରକାରୀ ବିଦ୍ୟାଳୟରେ ପ୍ରାୟ ୨୦ ହଜାର ୪୭୩ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏହି ଯୋଜନା ପାଇଁ ୧୫୮ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି। ସେହିପରି ଆକାଂକ୍ଷା ଯୋଜନା ଅଧୀନରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ଆବାସିକ ସୁବିଧା ଯୋଗାଇ ଦିଆଯାଉଛି।

Leave a Reply

Your email address will not be published. Required fields are marked *