ନ୍ୟୁଜ ଡେକ୍ସ : ଗ୍ରୀଷ୍ମ ଆରମ୍ଭ ସହିତ ରାଜ୍ୟରେ ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। ଖରାଦିନେ ବିଦ୍ୟୁତ୍ ସେବା ବ୍ୟାହାତ ନହେବାକୁ ନିଶ୍ଚିତ କରିବା ସହ ଅଂଶୁଘାତ ଓ ହିଟୱେଭ୍ ମୁକାବିଲା ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଇଛି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶକ୍ତି ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି।ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୩୧ଟି ପୌରାଞ୍ଚଳ ପାଇଁ ସ୍ୱତନ୍ତ୍ର ହିଟୱେଭ୍ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯିବ।
ପୂର୍ବରୁ ୧୦ଟି ପୌରାଞ୍ଚଳ ପାଇଁ ଏହି ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇସାରିଛି। ସେହିପରି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ଓ ଟ୍ୱିନ୍ ସିଟି ପାଇଁ ମଧ୍ୟ ବିଶେଷ ଯୋଜନା କରାଯାଇଛି।ଖରାଦିନେ ବିଦ୍ୟୁତ୍ କାଟ ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏହାସହ ରାଜ୍ୟ ଓ ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ଅବସ୍ଥା ଉପରେ ନଜର ରଖାଯାଉଛି। ଆଗାମୀ ଦିନରେ ଅଂଶୁଘାତ ଓ ଗ୍ରୀଷ୍ମପ୍ରବାହର ପ୍ରଭାବକୁ କମାଇବା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ସମ୍ପୃକ୍ତ ବିଭାଗମାନେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି।
ସେହିପରି ହିଟୱେଭ୍କୁ ଜାତୀୟ ବିପର୍ଯ୍ୟୟ ତାଲିକାରେ ସାମିଲ କରିବା ପାଇଁ ୧୬ତମ ଅର୍ଥ କମିଶନ ସୁପାରିଶ କରିଥିବା ମନ୍ତ୍ରୀ ଗୃହରେ ଲିଖିତ ଉତ୍ତରରେ ଉଲ୍ଲେଖ କରିଛନ୍ତି। ଏହା ଦ୍ୱାରା ଭବିଷ୍ୟତରେ ଗ୍ରୀଷ୍ମପ୍ରବାହ ଓ ଅଂଶୁଘାତ ମୁକାବିଲାରେ ସହାୟତା ମିଳିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

