ନ୍ୟୁଜ ଡେକ୍ସ : ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅଗ୍ନିଶମ ଓ ଜରୁରୀକାଳୀନ ସେବା, ହୋମଗାର୍ଡ ଏବଂ ନାଗରିକ ସୁରକ୍ଷା କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିବା ସହ ଆଗାମୀ ଦିନରେ ମହିଳାମାନେ ମଧ୍ୟ ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ବୋଲି ନିଷ୍ପତ୍ତି ହୋଇଛି ।
ବିଭିନ୍ନ ପ୍ରକାର ଦୁର୍ଘଟଣାରୁ ଧନ ଓ ଜୀବନକୁ ସୁରକ୍ଷା ଦେବା ସହ ପ୍ରତିବର୍ଷ ପାଣିରେ ବୁଡ଼ି ଘଟୁଥିବା ମୃତ୍ୟୁ ସଂଖ୍ୟା କମାଇବା ପାଇଁ ଅଗ୍ନିଶମ ବିଭାଗକୁ ଆହୁରି ଦକ୍ଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସହର ଓ ଗ୍ରାମାଞ୍ଚଳରେ ଥିବା ୩୪୬ଟି ଦମକଳ କେନ୍ଦ୍ର ମାଧ୍ୟମରେ ତୁରନ୍ତ ସେବା ପ୍ରଦାନକୁ ଗୁରୁତ୍ୱ ଦିଆଯାଉଛି ।ଅଗ୍ନିଶମ ସେବାକୁ ଅଧିକ ସକ୍ରିୟ କରିବା ସହ ଅଗ୍ନି ସୁରକ୍ଷା ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାକୁ ସହଜ ଓ ତ୍ୱରିତ କରିବା ପାଇଁ ଅଗ୍ନିଶମ ସେବା ପୋର୍ଟାଲ ୨.୦ କାର୍ଯ୍ୟକାରୀ ହୋଇଛି ବୋଲି ଅଗ୍ନିଶମ ସେବା ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ସେହିପରି ପ୍ରତ୍ୟେକ ଅଗ୍ନିଶମ କର୍ମଚାରୀଙ୍କୁ ସ୍କୁବା ଡାଇଭର, ପ୍ରାଥମିକ ଚିକିତ୍ସା, ସର୍ଚ୍ଚ ଏବଂ ଉଦ୍ଧାର, ଫାୟାର ଫାଇଟର ଟ୍ରେନର, ଜଙ୍ଗଲ ନିଆଁ ନିବାରଣ, ଦୁର୍ଘଟଣା ପ୍ରତିକ୍ରିୟା, କେ–୯ ଏବଂ କମାଣ୍ଡ ସେଣ୍ଟର ବିଶେଷଜ୍ଞ ଭଳି ବିଭିନ୍ନ କ୍ଷେତ୍ରରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇ ବିଶେଷଜ୍ଞ ବ୍ୟାଚ୍ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ, ୨୦୨୫ ମସିହାରେ ଅଗ୍ନିଶମ ସେବା ପକ୍ଷରୁ ପ୍ରାୟ ୨୦,୯୯୧ଟି ଅଗ୍ନିକାଣ୍ଡ ସମ୍ବନ୍ଧୀୟ କଲ୍ ଗ୍ରହଣ କରାଯାଇ ତୁରନ୍ତ ସହାୟତା ପ୍ରଦାନ କରାଯାଇଛି । ଏଥିରେ ପ୍ରାୟ ୫୯୮ କୋଟି ଟଙ୍କାର ସମ୍ପତ୍ତି ସୁରକ୍ଷିତ ରହିଥିବା ସହ ଶତାଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଏଥିସହିତ ବିଭିନ୍ନ ଦୁର୍ଘଟଣାରେ ୯,୫୪୭ ଜଣ ବ୍ୟକ୍ତି ଓ ୧୬,୩୯୯ ପଶୁଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି ।ଭୁବନେଶ୍ୱରର ବରମୁଣ୍ଡାରେ ସ୍ଥାପିତ ୨୪ ଘଣ୍ଟିଆ ରାଜ୍ୟ କମାଣ୍ଡ ସେଣ୍ଟର ଉଦ୍ଧାର ଓ ସହାୟତା କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରୁଥିବା ଜଣାପଡ଼ିଛି ।

