Mon. Apr 20th, 2026

ନ୍ୟୁଜ ଡେକ୍ସ : ଚାଷୀ ହେଉଛନ୍ତି ସମାଜର ମେରୁଦଣ୍ଡ ଏବଂ ଦେଶର ଅର୍ଥନୀତିର ପ୍ରକୃତ ସାରଥି। ଚାଷୀଙ୍କ ଉନ୍ନତି ବିନା ଦେଶ କିମ୍ବା ରାଜ୍ୟର ବିକାଶ ସମ୍ଭବ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନରେ ଆୟୋଜିତ ୨୨ତମ ପିଏମ କିଷାନ ଉତ୍ସବ ଦିବସ ଅବସରରେ କୃଷକ ସମ୍ମାନ ନିଧି ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେଇ ସେ କୃଷକମାନଙ୍କୁ ଉଦ୍ବୋଧନ ଦେଇଥିଲେ।

ସୂଚନା ଅନୁଯାୟୀ ଆସାମର ଗୌହାଟୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କିଷାନ ସମ୍ମାନ ନିଧି ଯୋଜନାର ୨୨ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କିସ୍ତିରେ ଦେଶର ପ୍ରାୟ ୯.୩୨ କୋଟି କୃଷକଙ୍କୁ ପ୍ରାୟ ୧୯ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଦେଶର ସମସ୍ତ ରାଜ୍ୟର ଜିଲ୍ଲା, ବ୍ଲକ, ପଞ୍ଚାୟତ, ପ୍ୟାକ୍ସ ଓ ମଣ୍ଡି ସ୍ତରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଏମ କିଷାନ ଯୋଜନା ଚାଷୀମାନଙ୍କୁ ବିହନ, ସାର ଓ ଅନ୍ୟାନ୍ୟ କୃଷି ଉପକରଣ କିଣିବାରେ ବହୁତ ସାହାଯ୍ୟ କରୁଛି। ପ୍ରତି କିସ୍ତିରେ ମିଳୁଥିବା ୨୦୦୦ ଟଙ୍କା ଏବଂ ବର୍ଷକୁ ୩ଟି କିସ୍ତିରେ ସର୍ବମୋଟ ୬ ହଜାର ଟଙ୍କା ସାଧାରଣ ଲୋକଙ୍କ ପାଇଁ ସାମାନ୍ୟ ଲାଗିପାରେ, କିନ୍ତୁ କ୍ଷୁଦ୍ର ଚାଷୀଙ୍କ ପାଇଁ ଏହା ବଡ଼ ସହାୟତା ବୋଲି ସେ କହିଥିଲେ।

ଆଜିର ଦିନକୁ ସାରା ଦେଶ ଓ ରାଜ୍ୟରେ ପିଏମ କିଷାନ ଉତ୍ସବ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଚାଷୀମାନଙ୍କୁ ଯୋଜନାର ଯୋଗ୍ୟତା ମାନଦଣ୍ଡ ଓ ଆବଶ୍ୟକ ପ୍ରକ୍ରିୟା ବିଷୟରେ ସଚେତନ କରାଯାଉଛି। ଓଡ଼ିଶାରେ ୩୪ ଲକ୍ଷ ୨୪ ହଜାରରୁ ଅଧିକ ଯୋଗ୍ୟ ଚାଷୀଙ୍କୁ ୨୨ତମ କିସ୍ତିରେ ପ୍ରତିଜଣଙ୍କୁ ୨୦୦୦ ଟଙ୍କା ହିସାବରେ ମୋଟ ୬୮୪ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଉଛି।ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ e-KYC, ଜମି ତଥ୍ୟ ଅଦ୍ୟତନ, ଆଧାର ଓ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍ ସହିତ ଆବଶ୍ୟକ ମାନଦଣ୍ଡ ପୂରଣ କରି ଯୋଜନାର ସମସ୍ତ ସୁବିଧା ନେବାକୁ ଅନୁରୋଧ କରିଥିଲେ।ସେ କହିଥିଲେ ଯେ ପିଏମ କିଷାନ ସହିତ ରାଜ୍ୟ ସରକାର ମଧ୍ୟ ସିଏମ କିଷାନ ଯୋଜନାରେ ଚାଷୀମାନଙ୍କୁ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ପ୍ରଦାନ କରୁଛନ୍ତି। ୬ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ୫୧ ଲକ୍ଷ ୫୪ ହଜାର ହିତାଧିକାରୀଙ୍କୁ ୨୯୯୧ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରାଯାଇଛି। ଏଥିରେ ବିଶେଷ ଭାବେ ଅନୁନ୍ନତ ଜନଜାତି ଗୋଷ୍ଠୀର ଚାଷୀ ଏବଂ ସହରାଞ୍ଚଳର ଚାଷୀମାନେ ମଧ୍ୟ ସାମିଲ ଅଛନ୍ତି। ସିଏମ କିଷାନ ଯୋଜନାର ହିତାଧିକାରୀଙ୍କ ପିଲାମାନଙ୍କ ପାଇଁ କୃଷି ବିଦ୍ୟାନିଧି ଯୋଜନା ମାଧ୍ୟମରେ ଡାକ୍ତରୀ, ଇଞ୍ଜିନିୟରିଂ, କୃଷି, ନର୍ସିଂ, ଡିପ୍ଲୋମା ଓ ଆଇଟିଆଇ ଭଳି ବୃତ୍ତିଗତ ପାଠ୍ୟକ୍ରମ ପାଇଁ ଛାତ୍ରବୃତ୍ତି ଦିଆଯାଉଛି। ୨୦୨୪-୨୫ ଶିକ୍ଷାବର୍ଷରେ ୧୩,୯୨୩ ଜଣ ଛାତ୍ରଛାତ୍ରୀ ୫୩.୬୭ କୋଟି ଟଙ୍କାର ଛାତ୍ରବୃତ୍ତି ପାଇଛନ୍ତି। ଚଳିତ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ୬୮ ହଜାର ୯୧୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ଏବଂ ସେମାନଙ୍କୁ ପ୍ରାୟ ୨୯୦ କୋଟି ଟଙ୍କାର ଛାତ୍ରବୃତ୍ତି ଦିଆଯିବ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀମାନେ କେବଳ ଧାନ ଚାଷରେ ସୀମିତ ନ ରହି ଡାଲି, ପନିପରିବା, ଫଳ ଓ ଅର୍ଥକାରୀ ଫସଲ ଉପରେ ଧ୍ୟାନ ଦେବା ଆବଶ୍ୟକ।

ଓଡ଼ିଶାର ମାଟି ଉର୍ବର ଥିବାରୁ ରାଜ୍ୟ କୃଷି ରପ୍ତାନି କ୍ଷେତ୍ରରେ ଅଗ୍ରଣୀ ହୋଇପାରିବ।ସେ ଆହୁରି କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ, ଅନିୟମିତ ପାଣିପାଗ, ଜଳାଭାବ ଓ ମୃତ୍ତିକା କ୍ଷୟ କୃଷି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ତେଣୁ ନବସୃଜନ, ଜଳବାୟୁ ସହନଶୀଳ ପଦ୍ଧତି, ଡିଜିଟାଲ ସମାଧାନ ଓ ଗୋଷ୍ଠୀ ଭିତ୍ତିକ ପଦ୍ଧତି ଅନୁସରଣ କରି ଆଗକୁ ବଢ଼ିବାକୁ ହେବ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *