Mon. Apr 20th, 2026

ନ୍ୟୁଜ ଡେକ୍ସ : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପ୍ରସାର ଭାରତୀ ଓଡ଼ିଶାରେ ବ୍ୟାପକ ଭାବରେ ରେଡିଓ ଓ ଟେଲିଭିଜନ ପ୍ରସାରଣ ସେବା ଜାରି ରଖିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି।ମନ୍ତ୍ରୀଙ୍କ କହିବା ଅନୁଯାୟୀ ଓଡ଼ିଶାରେ ଆକାଶବାଣୀର ୨୮ଟି ପ୍ରସାରଣ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ଏଥିମଧ୍ୟରୁ ୧୨ଟି କେନ୍ଦ୍ର ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଅବସ୍ଥିତ।

ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ରେଡିଓ ପ୍ରସାରଣ ସେବା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକମାନଙ୍କ ପହଞ୍ଚରେ ଆସୁଛି।ଏହା ସହିତ ଡିଡି ଓଡ଼ିଆ ଓଡ଼ିଶା ପାଇଁ ଏକ ୨୪ ଘଣ୍ଟିଆ ସମର୍ପିତ ଟେଲିଭିଜନ ଚ୍ୟାନେଲ ଭାବେ କାର୍ଯ୍ୟ କରୁଛି। ଦୂରଦର୍ଶନ ଡିଡି ଫ୍ରି ଡିଶ୍ ମାଧ୍ୟମରେ ଫ୍ରି-ଟୁ-ଏୟାର ଡାଇରେକ୍ଟ-ଟୁ-ହୋମ୍ ସେବା ମଧ୍ୟ ପ୍ରଦାନ କରୁଛି। ଏହାର ସିଗନାଲ ଓଡ଼ିଶାର ଆକାଂକ୍ଷୀ ଜିଲ୍ଲା ସହିତ ଦେଶର ଯେକୌଣସି ସ୍ଥାନରେ ମିଳୁଥିବା ବୋଲି ମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଦୂରଦର୍ଶନ ଓ ଆକାଶବାଣୀର ପ୍ରସାରଣ ଭିତ୍ତିଭୂମିକୁ ଉନ୍ନତ ଓ ଆଧୁନିକ କରିବା ପାଇଁ ବ୍ରଡକାଷ୍ଟିଂ ଇନଫ୍ରାଷ୍ଟ୍ରକ୍ଚର ଏଣ୍ଡ ନେଟୱର୍କ ଡେଭଲପମେଣ୍ଟ ନାମକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନା ଓଡ଼ିଶାର ଆକାଂକ୍ଷୀ ଜିଲ୍ଲା ସମେତ ସାରା ଦେଶରେ ଚାଲୁ ରହିଛି।ବିଆଇଏନଡି ଯୋଜନା ଅନ୍ତର୍ଗତ ଓଡ଼ିଶାରେ ମୋଟ ୬ଟି ଏଫଏମ୍ ଟ୍ରାନ୍ସମିଟର ସ୍ଥାପନ ପାଇଁ ମଞ୍ଜୁରି ମିଳିଛି। ଏଥିମଧ୍ୟରୁ ଗୋଟିଏ ଟ୍ରାନ୍ସମିଟର ଆକାଂକ୍ଷୀ ଜିଲ୍ଲା କଳାହାଣ୍ଡିରେ ସ୍ଥାପିତ ହେବାକୁ ଥିବା ଜଣାପଡ଼ିଛି।

ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ ପ୍ରସାର ଭାରତୀ ୨୦୨୪ ମସିହାରେ ନିଜର ଓଟିଟି ପ୍ଲାଟଫର୍ମ ୱେଭ୍ସର ମଧ୍ୟ ଶୁଭାରମ୍ଭ କରିଥିଲା। ଏହା ଏକ ଡିଜିଟାଲ ଷ୍ଟ୍ରିମିଂ ପ୍ଲାଟଫର୍ମ ଯାହା ମାଧ୍ୟମରେ ଇନଫୋଟେନମେଣ୍ଟ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି ଓ ସୂଚନା, ଶିକ୍ଷା ଓ ସଂସ୍କୃତି ସମ୍ପର୍କିତ ବାର୍ତ୍ତା ସହଜରେ ଲୋକଙ୍କ ପହଞ୍ଚରେ ପହଞ୍ଚୁଛି। ଏହା ସହିତ ଦୂରଦର୍ଶନ ଓ ଆକାଶବାଣୀର ବିଭିନ୍ନ ଚ୍ୟାନେଲ ମଧ୍ୟ ୱେଭ୍ସ ପ୍ଲାଟଫର୍ମ ସହ ଯୋଡ଼ାଯାଇଛି। ଶ୍ରୋତାମାନେ ମୋବାଇଲ ଫୋନରେ ନ୍ୟୁଜ୍‌ଅନ୍‌ଏଆଇଆର ଆପ୍ ମାଧ୍ୟମରେ ୨୬୦ରୁ ଅଧିକ ଆକାଶବାଣୀ ଚ୍ୟାନେଲ ଶୁଣିପାରିବେ ବୋଲି ଡକ୍ଟର ଏଲ. ମୁରୁଗନ କହିଛନ୍ତି।

Leave a Reply

Your email address will not be published. Required fields are marked *