ନ୍ୟୁଜ ଡେକ୍ସ : ରାଜ୍ୟ ସରକାର ଜମ୍ମୁ ଓ କାଶ୍ମୀରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ରଶ୍ମିରଞ୍ଜନ ସ୍ୱାଇଁଙ୍କୁ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ପ୍ରଥମ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଶୁକ୍ରବାର ଏହା ସମ୍ପର୍କରେ ସରକାର ପକ୍ଷରୁ ଘୋଷଣା କରାଯାଇଛି।ରାଉରକେଲାର ମୂଳ ବାସିନ୍ଦା ରଶ୍ମିରଞ୍ଜନ ସ୍ୱାଇଁ ୧୯୯୧ ବ୍ୟାଚର AGMUT କ୍ୟାଡରର ଜଣେ ଆଇପିଏସ ଅଧିକାରୀ।
ସେ ଦୀର୍ଘଦିନ ଧରି ଜମ୍ମୁ ଓ କାଶ୍ମୀରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରି ଚର୍ଚ୍ଚିତ ହୋଇଥିଲେ। ଜମ୍ମୁ, ଶ୍ରୀନଗର, ଲେହ, ପୁଞ୍ଚ ଏବଂ ରାମବାନ ଜିଲ୍ଲାରେ ଏସଏସପି ଭାବେ କାର୍ଯ୍ୟ କରି ସେ ଦେଶବ୍ୟାପୀ ଚେହେରା ହୋଇଥିଲେ।ଆତଙ୍କବାଦ ବିରୋଧରେ ତାଙ୍କର କଠୋର ଆଭିମୁଖ୍ୟ ପାଇଁ ସେ ଜଣାଶୁଣା। ବିଶେଷକରି ଜମ୍ମୁ କାଶ୍ମୀରରେ ଆତଙ୍କୀ ପାଣ୍ଠି ନେଟୱାର୍କକୁ ଦୁର୍ବଳ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ୨୦୨୩ ଅକ୍ଟୋବର ୩୧ରୁ ୨୦୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଜମ୍ମୁ ଓ କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ପରେ ସେ ଏହି ପଦରୁ ଅବସର ଗ୍ରହଣ କରିଥିଲେ। ଏହାପୂର୍ବରୁ ୨୦୦୩ ରୁ ୨୦୦୪ ପର୍ଯ୍ୟନ୍ତ ସେ ଜମ୍ମୁ ଓ ଶ୍ରୀନଗରରେ ଏସଏସପି ଭାବେ କାମ କରିଥିଲେ।
ଏହା ସହ ୨୦୦୪ ରୁ ୨୦୦୬ ପର୍ଯ୍ୟନ୍ତ ସେ ଜମ୍ମୁ କାଶ୍ମୀର ଭିଜିଲାନ୍ସରେ ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ ଓ ଡେପୁଟି ଇନ୍ସପେକ୍ଟର ଜେନେରାଲ ଅଫ ପୋଲିସ ଭାବେ କାର୍ଯ୍ୟ କରିଥିଲେ।ସୂଚନା ଅନୁସାରେ ଗତ ବର୍ଷ ନଭେମ୍ବର ମାସରେ ରାଜ୍ୟ ସରକାର ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ। ଏହି ଆୟୋଗ ମାଧ୍ୟମରେ ୟୁନିଫର୍ମ ସେବାରେ କାମ କରୁଥିବା ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ନିଯୁକ୍ତି କରାଯିବ।ଏହି ଆୟୋଗରେ ଜଣେ ଅଧ୍ୟକ୍ଷ ସହ ଦୁଇ ଜଣ ସଦସ୍ୟ ରହିବେ ବୋଲି ନିର୍ଦ୍ଧାରିତ ହୋଇଛି। ମୁଖ୍ୟତଃ ପୋଲିସ, ବନ ବିଭାଗ ଓ ଅବକାରୀ ବିଭାଗରେ ନିଯୁକ୍ତି ପ୍ରକ୍ରିୟା ଏହି ଆୟୋଗ ମାଧ୍ୟମରେ ସମ୍ପନ୍ନ ହେବ।

