ନ୍ୟୁଜ ଡେକ୍ସ : ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ରାଉରକେଲା ବଡ଼ଗାଁ ଥାନାର ଏଏସଆଇ ଅରୁପାନନ୍ଦ ଦାସ। ଲାଞ୍ଚ ନେବା ବେଳେ ତାଙ୍କୁ ଘଟଣାସ୍ଥଳରୁ ଧରିଛି ରାଉରକେଲା ଭିଜିଲାନ୍ସ ବିଭାଗ। ଗତକାଲି ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଲାଞ୍ଚ ଟଙ୍କା ସହ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।ଅଭିଯୋଗ ଅନୁଯାୟୀ ବଡ଼ଗାଁର ରଞ୍ଜନ ଦାସ ଓରଫ ମୁନୁଙ୍କୁ ଢାବାରେ ମଦ ବ୍ୟବସାୟ କରିବା ପାଇଁ ଏଏସଆଇ ଅରୁପାନନ୍ଦ ଦାସ ପ୍ରତିମାସ ୨୫ ହଜାର ଟଙ୍କା ଲାଞ୍ଚ ଦାବି କରୁଥିଲେ।
ଏନେଇ ରଞ୍ଜନ ଦାସ ରାଉରକେଲା ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ପରେ ଭିଜିଲାନ୍ସ ଯୋଜନା ଅନୁଯାୟୀ ଲାଞ୍ଚ ଦେବା ସମୟରେ ମାଡି ବସି ଅରୁପାନନ୍ଦଙ୍କୁ ଧରିଥିଲା।ପରବର୍ତ୍ତୀରେ ଏଏସଆଇଙ୍କ ରହୁଥିବା କ୍ୱାର୍ଟରରେ ଚଢ଼ାଉ କରାଯାଇଥିଲା। ସେଠାରୁ ନଗଦ ୧ ଲକ୍ଷ ୫୭ ହଜାର ଟଙ୍କା, ୫ ହଜାର ଆମେରିକୀୟ ଡଲାର ଓ ୧୫ଟି ଦେଶୀ ମଦ ବୋତଲ ଜବତ ହୋଇଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୧୫ ହଜାର ଟଙ୍କା ନଗଦ ଜବତ କରାଯାଇଛି। ଏପଟେ ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ କଟକ କଣ୍ଟାପଡା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି। ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ରେଡ୍ ଚଳାଇ ଯାଞ୍ଚ କରୁଛି।କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାର ୭ଟି ସ୍ଥାନରେ ଚଢ଼ାଉ ଚାଲିଛି। ଭୁବନେଶ୍ୱର ସହିଦନଗରରେ ଥିବା ୩ ମହଲା ବିଲ୍ଡିଂ ସହ ଏକ ନିର୍ମାଣଧୀନ ୩ ମହଲା କୋଠାରେ ମଧ୍ୟ ଯାଞ୍ଚ ହେଉଛି।
ସେହିପରି ପୈତୃକ ଘର ପୁରୀ ଜିଲ୍ଲା ଗଡିଶାଗଡ଼ ଥାନା ଅନ୍ତର୍ଗତ ଦୁଛିଆରେ ମଧ୍ୟ ଚଢ଼ାଉ ଚାଲିଛି।ଏହାସହ ଭୁବନେଶ୍ୱର ଲକ୍ଷ୍ମୀସାଗର ଓ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇରେ ଥିବା ସମ୍ପର୍କୀୟଙ୍କ ଘର, କଣ୍ଟାପଡାରେ ଥିବା ସରକାରୀ କ୍ୱାର୍ଟର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଯାଞ୍ଚ କରୁଛି।ଏହି ଚଢ଼ାଉରେ ଭିଜିଲାନ୍ସର ୨ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୧୧ ଜଣ ଇନସ୍ପେକ୍ଟର, ୫ ଜଣ ଏଏସଆଇ ସହ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି। ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

