ନ୍ୟୁଜ ଡେକ୍ସ : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଆଗାମୀ ରଥଯାତ୍ରା ପାଇଁ ଏକ ସମଗ୍ର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ରଥଯାତ୍ରା ସହ ଜଡ଼ିତ ସମସ୍ତ ବିଭାଗ ନିଜ ନିଜ କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦିଆଯାଇଛି।
ବୈଠକରେ ଉଭୟ ସ୍ୱଳ୍ପ ମିଆଦୀ ଓ ଦୀର୍ଘ ମିଆଦୀ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଡେଡ୍ଲାଇନ୍ ମଧ୍ୟରେ ସମସ୍ତ କାର୍ଯ୍ୟ ସାରିବା ପାଇଁ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୂର୍ବବର୍ଷରେ ଥିବା ତ୍ରୁଟି ବିଚ୍ୟୁତିକୁ ସୁଧାରି ଏବର୍ଷ ରଥଯାତ୍ରାକୁ ଆହୁରି ସୁଚାରୁ ଭାବେ ଆୟୋଜନ କରିବାକୁ ପରାମର୍ଶ ଦିଆଯାଇଛି।
ରଥଯାତ୍ରା ସମୟରେ ପୁରୀ ସହରକୁ ସ୍ୱଛ ଓ ସୁନ୍ଦର ରଖିବା ସମସ୍ତଙ୍କ ସାମୁହିକ ଦାୟିତ୍ୱ ବୋଲି ଜିଲ୍ଲାପାଳ କହିଛନ୍ତି। ସମସ୍ତ ବିଭାଗ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟକୁ ସେବା ମନୋଭାବରେ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଏସପି ପ୍ରତୀକ ସିଂହଙ୍କ ସହିତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

