ନ୍ୟୁଜ ଡେକ୍ସ : ଆଜି ରାଜ୍ୟରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ମୋଟ ୪ଟି ଆସନ ପାଇଁ ମତଦାନ ହେବ। ସକାଳ ୯ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ଭୋଟଗଣନା ଅପରାହ୍ଣ ୫ଟାରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି।ଏହି ନିର୍ବାଚନରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ମୈଦାନରେ ରହିଛନ୍ତି। ବିଜେପି ପକ୍ଷରୁ ମନମୋହନ ସାମଲ ଓ ସୁଜିତ କୁମାର ପ୍ରାର୍ଥୀ ହୋଇଛନ୍ତି। ବିଜେଡି ପକ୍ଷରୁ ସଂତୃପ୍ତ ମିଶ୍ର ମୈଦାନରେ ଅଛନ୍ତି। ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ ଜଣାଇଛି।
ସେହିଭଳି କମନ ପ୍ରାର୍ଥୀ ଭାବେ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ବିଜେଡି ଓ କଂଗ୍ରେସ ସମର୍ଥନ କରୁଛନ୍ତି। ସିପିଆଇଏମ ମଧ୍ୟ ତାଙ୍କୁ ସମର୍ଥନ ଦେଇଛି। ଚତୁର୍ଥ ଆସନ ପାଇଁ ଦିଲ୍ଲୀପ ରାୟ ଓ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ମଧ୍ୟରେ କଡା ଲଢେଇ ଦେଖିବାକୁ ମିଳୁଛି। ଏହି ଆସନକୁ ନେଇ ରାଜନୈତିକ ଶିବିରରେ ଛକାପଞ୍ଝା ଜାରି ରହିଛି। ବିଜେପି ତାର ଦୁଇ ପ୍ରାର୍ଥୀ ସହ ଦିଲ୍ଲୀପ ରାୟଙ୍କୁ ବିଜୟୀ କରିବାକୁ ରଣନୀତି ପ୍ରସ୍ତୁତ କରିଛି। ସେହିପରି ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ଜିତାଇବା ପାଇଁ ବିଜେଡି ଓ କଂଗ୍ରେସ ପକ୍ଷରୁ ମଧ୍ୟ ବିଭିନ୍ନ ରଣନୀତି ଗଢ଼ାଯାଇଛି। ଗତକାଲି ସାରାଦିନ ବିଜେଡି, ବିଜେପି ଓ କଂଗ୍ରେସ ଶିବିରରେ ତତ୍ପରତା ଦେଖିବାକୁ ମିଳିଥିଲା।
ନିୟମ ଅନୁସାରେ ବିଧାୟକମାନେ ଯେଉଁ ପ୍ରାର୍ଥୀଙ୍କୁ ଭୋଟ ଦେବେ, ସେଥିରେ ନିଜ ଦଳର ଏଜେଣ୍ଟଙ୍କୁ ଦେଖାଇ ଭୋଟ ପ୍ରଦାନ କରିବାକୁ ପଡ଼ିବ। ନହେଲେ ଭୋଟ ନାକଚ ହେବ ବୋଲି ନିୟମ ରହିଛି। ବିଜେପି ପକ୍ଷରୁ ଏଜେଣ୍ଟ ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପୃଥ୍ବୀରାଜ ହରିଚନ୍ଦନ ନିଯୁକ୍ତ ହୋଇଛନ୍ତି। ବିଜେଡି ପକ୍ଷରୁ ପ୍ରତାପ ଦେବ ଏଜେଣ୍ଟ ହୋଇଥିବାବେଳେ କଂଗ୍ରେସ ପକ୍ଷରୁ ଭକ୍ତ ଚରଣ ଦାସ ଏଜେଣ୍ଟ ଭାବେ ନିଯୁକ୍ତ ହୋଇଛନ୍ତି।

