ନ୍ୟୁଜ ଡେକ୍ସ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ କାଳବୈଶାଖୀର ଭୟାବହ ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ପବନ ସହ ମୁଷଳଧାରା ବର୍ଷା ହେବାରୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।ସମସ୍ତ ଆହତଙ୍କୁ କରଞ୍ଜିଆ ଉପଖଣ୍ଡ ହସ୍ପିଟାଲ ଓ କେନ୍ଦୁଝର ଜିଲ୍ଲା ମୁଖ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ବିଶେଷକରି କରଞ୍ଜିଆ ବ୍ଲକର କଙ୍କଡା, କିଆପାଣପଶି ଓ ମେଣ୍ଢାସିଂହା ଅଞ୍ଚଳରେ ଘୁର୍ଣ୍ଣିଝଡ଼ର ପ୍ରଭାବ ଅଧିକ ଦେଖାଯାଇଛି। ପ୍ରବଳ ପବନରେ ଅନେକ ଗଛ ଉପଡ଼ି ପଡ଼ିଥିବା ବେଳେ ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।ପବନର ବେଗ ଏତେ ଅଧିକ ଥିଲା ଯେ ଅନେକ ଲୋକ ଛିଟକି ପଡ଼ିଥିଲେ। କେହି ପୋଖରୀରେ ପଡ଼ିଥିବା ବେଳେ କେହି ଆଖପାଖ ପଡ଼ିଆରେ ଯାଇ ପଡ଼ିଥିବା ସ୍ଥାନୀୟ ଲୋକେ କହିଛନ୍ତି। ପ୍ରବଳ ବର୍ଷା ସହ କୁଆପଥର ମାଡ଼ ମଧ୍ୟ ହୋଇଥିଲା। ଏପଟେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ମଧ୍ୟ ଅପରାହ୍ଣରେ ହଠାତ୍ କଳା ବାଦଲ ମାଡ଼ିଆସିଥିଲା। ଦେଖୁଦେଖୁ ସମଗ୍ର ସହର ଅନ୍ଧକାରମୟ ହୋଇଯାଇଥିଲା। ଘଡ଼ଘଡ଼ି ଓ ବିଜୁଳି ସହ ପ୍ରବଳ ବର୍ଷା ହୋଇଥିଲା।
ବିଶେଷକରି କଳିଙ୍ଗା ଅଞ୍ଚଳରେ କାଳବୈଶାଖୀର ପ୍ରଭାବରେ ଭାରୀ ବର୍ଷା ସହ କୁଆପଥର ମାଡ଼ ହୋଇଥିଲା। କୁଆପଥର ମାଡ଼ରେ ରାସ୍ତାଘାଟ ବରଫ ପରି ଦେଖାଯାଇଥିଲା ଏବଂ କିଛି ସମୟ ପାଇଁ ଏହି ଅଞ୍ଚଳରେ କାଶ୍ମୀରର ବରଫପାତ ପରି ଦୃଶ୍ୟ ଦେଖିବାକୁ ମିଳିଥିଲା।ତେବେ ଏହି ବର୍ଷା ଚାଷୀମାନଙ୍କ ପାଇଁ କିଛି ଆଶା ନେଇଆସିଥିବା ବେଳେ କାଳବୈଶାଖୀ ପରେ ଅନେକ ଚାଷୀଙ୍କ ମୁହଁରେ ହସ ଦେଖିବାକୁ ମିଳିଛି।

