Sun. Apr 19th, 2026

ନ୍ୟୁଜ ଡେକ୍ସ : କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଚଞ୍ଚଳ୍ୟ ସୃଷ୍ଟି ହୋଇଛି। ଏହି ଅଗ୍ନିକାଣ୍ଡରେ ୧୦ରୁ ଅଧିକ ରୋଗୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ଏପରି ଭୟାବହ ଘଟଣାର କାରଣ ପ୍ରଥମେ ଅସ୍ପଷ୍ଟ ଥିଲେ ମଧ୍ୟ ପରେ ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଆଇସିୟୁର ପ୍ରଥମ ମହଲାରେ ନିଆଁ ଲାଗିଥିଲା। ସେଠାରେ ଅନେକ ଗୁରୁତର ରୋଗୀ ଭର୍ତ୍ତି ଥିବାରୁ ପରିସ୍ଥିତି ଅତ୍ୟନ୍ତ ସଂକଟାପନ୍ନ ହୋଇପଡ଼ିଥିଲା। ନିଆଁ ଲାଗିବା ଖବର ପାଇ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ।ଅଗ୍ନିକାଣ୍ଡ ପରେ ଆଇସିୟୁ ଓ ଟ୍ରମା କେୟାରରେ ଥିବା ଗୁରୁତର ରୋଗୀମାନଙ୍କୁ ତୁରନ୍ତ ଅନ୍ୟ ୱାର୍ଡ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତଥାପି ଏହାର ମଧ୍ୟରେ ୧୦ରୁ ଅଧିକ ରୋଗୀଙ୍କ ଜୀବନ ଯାଇଥିବା ଖବର ମିଳିଛି। ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ।

ସେ ଏହି ଦୁଃଖଦ ଘଟଣା ପାଇଁ ଗଭୀର ସମବେଦନା ଜଣାଇବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଚାର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଥିବା ବେଳେ ଆହତ ଓ ଅନ୍ୟ ରୋଗୀମାନଙ୍କ ଆଶୁ ସୁସ୍ଥତା କାମନା କରିଛନ୍ତି।ଏହି ଦୁଃଖଦ ଅଗ୍ନିକାଣ୍ଡ ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି। ସୁରକ୍ଷା ଦୃଷ୍ଟିରୁ ମେଡିକାଲ ପରିସରରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ଘଟଣାର କାରଣ ନେଇ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *