ନ୍ୟୁଜ ଡେକ୍ସ : ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଇପିଏଲ୍ ଆୟୋଜନକୁ ନେଇ ଚାଲିଥିବା ଅନିଶ୍ଚିତତାର ଶେଷ ହୋଇଛି। କର୍ଣ୍ଣାଟକ ସରକାର ଏହି ଷ୍ଟାଡିୟମରେ ଆଇପିଏଲ୍ ମ୍ୟାଚ୍ ଆୟୋଜନ ପାଇଁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘକୁ ଅନୁମତି ପ୍ରଦାନ କରିଛନ୍ତି।ଏହା ପୂର୍ବରୁ ଏକ ବିଶେଷଜ୍ଞ କମିଟି ଷ୍ଟାଡିୟମର ପରିଦର୍ଶନ କରି ନିରାପତ୍ତା ଓ ଭିତ୍ତିଭୂମି ସୁବିଧାର ସମୀକ୍ଷା କରିଥିଲା। କମିଟି ସନ୍ତୁଷ୍ଟ ହେବା ପରେ ନିଜର ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିଲା।
ସେହି ରିପୋର୍ଟ ଆଧାରରେ ସରକାର ଅନୁମତି ଦେଇଛନ୍ତି।ସୋମବାର କର୍ଣ୍ଣାଟକର ଗୃହମନ୍ତ୍ରୀ ଡା. ଜି. ପରମେଶ୍ୱରଙ୍କ ସହ ହୋଇଥିବା ବୈଠକରେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘର ପ୍ରତିନିଧିମାନେ ଓ ବିଶେଷଜ୍ଞ କମିଟିର ମୁଖ୍ୟ ଜି. ମହେଶ୍ୱର ରାଓ ଉପସ୍ଥିତ ଥିଲେ। ବୈଠକରେ କମିଟି ପକ୍ଷରୁ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ସରକାରୀ ଅନୁମତି ପରେ ଏହି ଷ୍ଟାଡିୟମରେ ଆରସିବି ଦଳର ୫ଟି ଘରୋଇ ମ୍ୟାଚ୍ ଖେଳାଯିବ। ମାର୍ଚ୍ଚ ୨୮ରେ ଆରସିବି ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ୍ ହେବାକୁ ନିର୍ଦ୍ଧାରିତ।
ଅବଶିଷ୍ଟ ୨ଟି ଘରୋଇ ମ୍ୟାଚ୍ ରାୟପୁରରେ ଖେଳାଯିବାକୁ ଯୋଜନା ହୋଇଛି। ସେହିପରି କେତେକ ପ୍ଲେଅଫ୍ ମ୍ୟାଚ୍ ମଧ୍ୟ ଏଠାରେ ଆୟୋଜିତ ହେବାର ସମ୍ଭାବନା ରହିଛି।ଗତବର୍ଷ ଆରସିବି ଚାମ୍ପିଅନ୍ ହେବା ପରେ ଏଠାରେ ଆୟୋଜିତ ବିଜୟ ଉତ୍ସବ ସମୟରେ ପ୍ରବଳ ଜନସମାଗମ ଯୋଗୁଁ ଦଳଚକଟା ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ଷ୍ଟାଡିୟମରେ ମ୍ୟାଚ୍ ଆୟୋଜନ ଉପରେ ରୋକ୍ ଲାଗିଥିଲା, ଯାହା ବର୍ତ୍ତମାନ ହଟିଛି।

