Sun. Apr 19th, 2026

ନ୍ୟୁଜ ଡେକ୍ସ : କଟକ ଏସସିବି ମେଡିକାଲର ଆଇସିୟୁରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ି ୧୨କୁ ପହଞ୍ଚିଛି। ଗୁରୁତର ଆହତ ହୋଇଥିବା ଭଦ୍ରକ ଜିଲ୍ଲା ହରିପୁରର ୧୧ ବର୍ଷୀୟ କଲ୍ୟାଣୀ ମଲ୍ଲିକ ଓ କୋରାପୁଟ ବୋରିଗୁମ୍ମା ଅଞ୍ଚଳର ୨୦ ବର୍ଷୀୟ ପବିତ୍ର ଦିସାରିଙ୍କର ମୃତ୍ୟୁ ଘଟିଥିବାରୁ ଏହି ସଂଖ୍ୟା ବଢ଼ିଛି।ରବିବାର ବିଳମ୍ବିତ ରାତିରେ ଏସସିବି ମେଡିକାଲର ଆଇସିୟୁରେ ଘଟିଥିବା ଏହି ଅଗ୍ନିକାଣ୍ଡ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି।

ଘଟଣା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟସଭା ସଦସ୍ୟ ସୁଜିତ କୁମାର ଓ ଅନ୍ୟ ବରିଷ୍ଠ ବିଧାୟକମାନେ ରାତିରେ ଏସସିବିକୁ ପହଞ୍ଚି ଆହତମାନଙ୍କ ଅବସ୍ଥା ବୁଝିଥିଲେ।ଏହି ଦୁର୍ଘଟଣାକୁ ଗୁରୁତ୍ବର ସହ ନେଇ ରାଜ୍ୟ ସରକାର ନ୍ୟାୟିକ ତଦନ୍ତ ଆଦେଶ ଜାରି କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଲକ୍ଷ୍ମୀଧର ବିଶ୍ୱାଳ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ।

ତଦନ୍ତ ଅଧୀନରେ ଆଇସିୟୁରେ କିପରି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା, ସେତେବେଳେ ଦାୟିତ୍ବରେ ଥିବା କର୍ମଚାରୀ କଣ କରୁଥିଲେ, ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କେମିତି ଥିଲା ଓ ରୋଗୀମାନଙ୍କୁ ବଞ୍ଚାଇବା ପାଇଁ କେଉଁ ପଦକ୍ଷେପ ନିଆଯାଇଥିଲା ସେସବୁ ଦିଗରେ ଖୋଜଖବର ହେବ।ଜଷ୍ଟିସ୍ ବିଶ୍ୱାଳ ଓ ତାଙ୍କ ଟିମ୍ ୬୦ ଦିନ ମଧ୍ୟରେ ତଦନ୍ତ ସମାପ୍ତ କରି ସରକାରଙ୍କୁ ରିପୋର୍ଟ ଦେବେ। ଏହି ଦୁଃଖଦ ଘଟଣା ପରେ ସମସ୍ତଙ୍କ ନଜର ଏହି ତଦନ୍ତ ରିପୋର୍ଟ ଉପରେ ରହିଛି।

Leave a Reply

Your email address will not be published. Required fields are marked *