ନ୍ୟୁଜ ଡେକ୍ସ : ରାଜ୍ୟରେ ଅସ୍ୱାଭାବିକ ଭାବେ ତାପମାତ୍ରା ବୃଦ୍ଧି ପାଇବା ସହ ଆଗାମୀ ଦିନରେ ତାପ ତୀବ୍ର ରହିବାର ସମ୍ଭାବନା ଦେଖି ହିଟ୍ୱେଭ୍ ପାଇଁ ସରକାର ପକ୍ଷରୁ ବିସ୍ତୃତ SOP ଜାରି କରାଯାଇଛି। ହାଉସିଂ ଓ ଅର୍ବନ ଡିଭେଲପମେଣ୍ଟ ବିଭାଗ ସମସ୍ତ ଅର୍ବନ୍ ଲୋକାଲ୍ ବଡି (ULBs) କୁ ଏହାକୁ କଠୋର ଭାବେ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଛି।ଅସାମାନ୍ୟ ବର୍ଷା ପରେ ଅନିୟମିତ ଜଳବାୟୁ ପରିସ୍ଥିତି ଫଳରେ ଗ୍ରୀଷ୍ମ ଋତୁରେ ତାପମାତ୍ରା ବେଶି ବଢ଼ୁଛି।
ବିଶେଷକରି ସହର ଅଞ୍ଚଳରେ ବଡ଼ ଭବନ, ରାସ୍ତା ଓ ଅବକାଠା ସୂର୍ଯ୍ୟତାପକୁ ଅଧିକ ଆତ୍ମସାତ କରିବାରୁ ତାପମାତ୍ରା ଆହୁରି ବୃଦ୍ଧି ପାଉଛି।ଏହି ପରିସ୍ଥିତିକୁ ମନେ ରଖି ସହର ଅଞ୍ଚଳରେ ପାଣି ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି। ପ୍ରଚୁର ପାଣି ଯୋଗାଣ ସୁନିଶ୍ଚିତ କରିବା ସହ ପାଇପ୍ଲାଇନ୍ର ରକ୍ଷାଣାବେକ୍ଷଣ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ମିଳିଛି। ଯେକୌଣସି ଅଭିଯୋଗକୁ ୨୪ ଘଣ୍ଟା ମଧ୍ୟରେ ସମାଧାନ କରିବା ଉପରେ ମଧ୍ୟ ଜୋର ଦିଆଯାଇଛି।ଜଳ ଅଭାବ ଅଞ୍ଚଳରେ ଟ୍ୟାଙ୍କର୍ ମାଧ୍ୟମରେ ପାଣି ପହଞ୍ଚାଇବା ସହ ଆବଶ୍ୟକତା ଅନୁସାରେ ଅତିରିକ୍ତ ଟ୍ୟାଙ୍କର୍ ବ୍ୟବସ୍ଥା କରାଯିବ। ସମସ୍ତ ଟ୍ୟୁବ୍ୱେଲ୍ ଓ ହାଣ୍ଡପମ୍ପକୁ ସଚଳ ରଖିବା ସହ ପୂର୍ବରୁ ମରାମତି ପାଇଁ ଆବଶ୍ୟକ ସାମଗ୍ରୀ ମଜୁତ ରଖିବାକୁ କୁହାଯାଇଛି। ସହର ସ୍ତରରେ କଣ୍ଟ୍ରୋଲ୍ ରୁମ୍ ଖୋଲି ଜଳ ଅଭାବ ସମ୍ବନ୍ଧୀୟ ଅଭିଯୋଗର ସତ୍ବର ସମାଧାନ କରାଯିବ। ଏହା ସହିତ ପାଣିପାଗ ବିଭାଗ ପକ୍ଷରୁ ଜାରି ହେଉଥିବା ହିଟ୍ୱେଭ୍ ସତର୍କବାଣୀକୁ ନିୟମିତ ମନିଟରିଂ କରିବାକୁ ନିର୍ଦ୍ଦେଶ ମିଳିଛି।
ଅନ୍ୟପଟେ ସହରର ରାସ୍ତାଘାଟ, ବସ୍ଷ୍ଟାଣ୍ଡ, ରେଲୱେ ଷ୍ଟେସନ୍, ବଜାର ଓ ସରକାରୀ କାର୍ଯ୍ୟାଳୟ ନିକଟରେ ପାଣିୟ ଜଳ ବିତରଣ କେନ୍ଦ୍ର ଖୋଲିବାକୁ କୁହାଯାଇଛି। ସାଧାରଣ ଲୋକଙ୍କୁ ଘର ଆଗରେ ପକ୍ଷୀ ଓ ପଶୁ ପାଇଁ ପାଣି ରଖିବା ସହ ସ୍ୱଚ୍ଛତା ରକ୍ଷା କରିବାକୁ ଅନୁରୋଧ କରାଯାଇଛି।ଏହାସହ ପୋଲିସ୍, ବନ ବିଭାଗ ଓ ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡ ସମେତ ସମସ୍ତ ସମ୍ପର୍କିତ ବିଭାଗକୁ ନିଜ ଦାୟିତ୍ୱ କଠୋର ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

